ଆଜି ଆସିପାରେ ଶ୍ରୀମନ୍ଦିର ସଂସ୍କାର ଓ ଉଚ୍ଛେଦ ମାମଲାର ରାୟ, ସମୁଦାୟ ୧୨ଟି ପ୍ରସ୍ତାବ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ପୁରୀ: ଆସିବ ଶ୍ରୀମନ୍ଦିର ସଂସ୍କାର ଓ ଉଚ୍ଛେଦ ମାମଲାର ରାୟ । ସୁପ୍ରିମକୋର୍ଟ ଶୁଣାଇବେ ସୁପ୍ରିମ ରାୟ । କ’ଣ ଆସିବ ରାୟ, ତାରି ଉପରେ ଜଗନ୍ନାଥପ୍ରେମୀ ଓ ସେବାୟତଙ୍କ ନଜର । ଧାଡ଼ି ଦର୍ଶନ ବ୍ୟବସ୍ଥା ରହିବ ନା ନାହିଁ ? ବଂଶାନୁକ୍ରମିକ ସେବା ଉପରେ ଲାଗିବ କି ରୋକ୍‌ ? ଦାନ ଦକ୍ଷିଣା ଉପରେ କ’ଣ କହିବେ ସୁପ୍ରିମକୋର୍ଟ ? ଅବଢ଼ା ଦର କେତେ ରହିବ ? ଶଙ୍କରାଚାର୍ଯ୍ୟଙ୍କ କ’ଣ ରହିବ ଭୂମିକା ? ରଥଯାତ୍ରା ନୀତିକାନ୍ତି ଉପରେ ଲାଗିବ କି ନୂଆ କଟକଣା ? ଏଭଳି ୧୨ଟି ପ୍ରସ୍ତାବ ଉପରେ ନିଷ୍ପତ୍ତି ଶୁଣାଇବେ ସୁପ୍ରମିକୋର୍ଟ । ପୂର୍ବରୁ ହୋଇଥିବା ଶୁଣାଣି ବେଳେ ଶ୍ରୀମନ୍ଦିର ସଂସ୍କାର ଓ ଶୃଙ୍ଖଳିତ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଇଥିଲେ ସୁପ୍ରିମକୋର୍ଟ। ଏନେଇ ଆମିକସ୍‌ କ୍ୟୁରୀ ଦେଇଥିବା ରିପୋର୍ଟକୁ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ବିଶେଷ କରି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟରେ ଫୋକସ କରିଥିଲେ ଆମିକସ୍‌ କ୍ୟୁରୀ।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ । ମାମଲାରେ ଜଡ଼ିତ ସମସ୍ତ ପକ୍ଷର ଆଦେଶ ଶୁଣାଇବା ପୂର୍ବରୁ ସେମାନଙ୍କ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକୁ ରାୟରେ ସାମିଲ କରିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାମଲାରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ରଣଜୀତ କୁମାର ଖଣ୍ଡପୀଠଙ୍କୁ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ତିନୋଟି ରିପୋର୍ଟ ଦେଇଛନ୍ତି । ସହଯୋଗୀ ଆମିକସ କ୍ୟୁରୀ ପ୍ରିୟା ହିଙ୍ଗରାନୀଙ୍କ ଦ୍ୱାରା ଦୁଇଟି ରିପୋର୍ଟ ଦାଖଲ ହୋଇଛି । ଉଚ୍ଛେଦ ସମୟରେ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଠିକ ନୀତି ଆପଣାଇଛନ୍ତି ନା ନାହିଁ, ତାରି ଉପରେ ମଧ୍ୟ ରାୟ ଆସିବ । ୨୫ ତାରିଖ ହୋଇଥିବା ଶୁଣାଣି ସମୟରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ନଭେମ୍ବର ୪ରେ ଅନ୍ତରୀଣ ରାୟ ଦିଆଯିବ । ଏହି ସମୟରେ ଓକିଲ ଦେବାଶୀଷ ମିଶ୍ରଙ୍କୁ ଖଣ୍ଡପୀଠ ଅରୁଣ ମିଶ୍ର କହିଥିଲେ ଯେ, ତୁମ ଠାକୁର ଓ ମୋ ଠାକୁର ଜଣେ, ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଏଥିରୁ ଜଣାପଡୁଛି ଯେ ଭକ୍ତଙ୍କ ଭାବାବେଗ ସହ ମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ତ୍ୱ ଦେଇପାରନ୍ତି ଖଣ୍ଡପୀଠ ।

Leave A Reply

Your email address will not be published.