ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଗତ ୧୩ ତାରିଖରେ ଶେଷ ହୋଇ ରାୟ ସଂରକ୍ଷିତ ରହିଛି ।

ହାଇକୋର୍ଟରେ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଆଜି ସୁଦ୍ଧା ଯେଉଁ ପକ୍ଷ ଚାହିଁବେ ଲିଖିତ ବିବୃତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିଲେ । ମାମଲାକୁ ପ୍ରତ୍ୟାହାର କରିବାକୁ ଗତ ୧୩ ତାରିଖରେ ହାଇକୋର୍ଟରେ ସେ ଆବେଦନ କରିଛନ୍ତି ।

ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜାଗିଙ୍କୁ ପ୍ରଥମେ ନଭେମ୍ବର ୧୨ ଓ ପରେ ମାମଲାର ଶୁଣାଣି କରି ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦିଆଯାଇଛି । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଏହି ମୂଳ ମାମଲା ହୋଇଥିବା ବେଳେ କମ୍ପାନୀର ପ୍ରମୋଟର ଭାବେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷଭୁକ୍ତ ହୋଇ ଅନ୍ତରୀଣ ସୁରକ୍ଷା ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.