କାଲିଠୁ ୧୧ ଯାଏ ପ୍ରବଳ ବର୍ଷିବ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ରହିବ ତିନି ଦିନ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। ଆଗାମୀ ୪୮ ଘଣ୍ଟା ରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ମଧ୍ୟରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ୩ଟି ନିୟାମକ ପ୍ରଭାବରେ ସକ୍ରିୟ ରହିଛି ଲଘୁଚାପ। ଏହି ଲଘୁଚାପ ଆଣିବ ବଡ଼ ବର୍ଷା । ୯ରୁ ୧୧ ତାରିଖ ଯାଏ ବର୍ଷା ହେବ। ଏହି ସମୟ ମଧ୍ୟରେ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ। ୩ ଦିନ ଯାଏ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୫ କିମିରୁ ୫୦ କିମି ବେଗରେ ପବନ ବହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଅଧିକ ବର୍ଷା ଯୋଗୁ କିଛି ତଳିଆ ଅଞ୍ଚଳରେ ପାଣି ଓ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କ ସୂଚନା ଦିଆଯାଇଛି।

ସେପଟେ ଚଳିତ ମୌସୁମୀ ଋତୁରେ ଜୁନ୧ରୁ ସେପ୍ଟେମ୍ବର ୮ତାରିଖ ଯାଏ ରାଜ୍ୟରେ ୧୦୧୫. ୮ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୯୯୨. ୭ ମିମି। ବର୍ତ୍ତମାନ ସୁଦ୍ଧା ୨ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲା ଭଦ୍ରକରେ ନିଅଣ୍ଟିଆ ବର୍ଷା ହୋଇଛି। ୨୫ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.