ଉତ୍ତର ଓଡ଼ିଶା ମୁହାଁ ଲଘୁଚାପ: ତୁହାକୁ ତୁହା ବର୍ଷା

କେନ୍ୟୁଜ୍(ବ୍ୟୁରୋ): ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ତୁହାକୁ ତୁହା ବର୍ଷା । ଉତ୍ତର ଓଡ଼ିଶା ମୁହାଁ ଲଘୁଚାପ । ଗତକାଲି ଦକ୍ଷିଣ-ଉପକୂଳ ଓଡ଼ିଶା ଅଞ୍ଚଳରେ ସକ୍ରିୟ ଲଘୁଚାପ ଆଜି ଉତ୍ତର ଓଡ଼ିଶା ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପ୍ରଭାବରେ ଆଜିଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି । ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ସେହିପରି ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ଜିଲ୍ଲାରେ ୭ରୁ ୧୧ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ଆଜିଠୁ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଜୁନ ୧ରୁ ଏଯାଏ ୩୪୦.୮ ମିମି ବର୍ଷା ହୋଇଛି । ଏହି ସମୟରେ ୩୪୫.୫ ମିମି ବର୍ଷା ହେବା କଥା । ନିଅଣ୍ଟିଆ ବର୍ଷା ୧ ପ୍ରତିଶତ ରହିଛି । ଏଯାଏ ୬ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ସେହିପରି ୭ଟି ଜିଲ୍ଲାରେ ନିଅଣ୍ଟିଆ ଓ ବାକି ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.