ବେଗୁନିଆର ପୂର୍ବତନ ତହସିଲଦାରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ବେଗୁନିଆ(କେନ୍ୟୁଜ):ବେଗୁନିଆର ପୂର୍ବତନ ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ପୂର୍ବତନ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ । ଭିଜିଲାନ୍ସର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଡିସେମ୍ବର ୧୫ ତାରିଖରେ ସେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ । ବେଗୁନିଆର ଏକ ଚାଷ ଜମିକୁ ଘରବାଡ଼ିରେ କିସମ ପରିବର୍ତ୍ତନ କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏନେଇ ତହସିଲଦାର ତଥା ଉପନିବନ୍ଧକ ମଣ୍ଡଳ ତାଙ୍କୁ ୪୫ ହଜାର ଟଙ୍କା ଲାଂଚ ମାଗିଥିଲେ ।

ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଜଣକ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ କେସ ନମ୍ବର ୯/୨୦୨୨ରେ ଏକ ମାମଲା ରୁଜୁ କରି ରଙ୍ଗେହାତ ଧରିବା ପାଇଁ ଯୋଜନା କରିଥିଲା । ଭୁବନେଶ୍ୱର କଳିଙ୍ଗବିହାରରେ ଥିବା ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ବ୍ୟକ୍ତିଜଣକ ୪୫ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ ।

ରଙ୍ଗବୋଳା ନୋଟ୍‌ ଓ ହାତର ରସାୟନିକ ପରୀକ୍ଷା କରାଯାଇ ଲାଂଚ ନେବା ଟଙ୍କା ଜବତ କରାଯାଇଥିଲା । ଏହାପରେ ଭିଜିଲାନ୍ସର ୪ଜଣିଆ ଟିମ୍‌ ବେଗୁନିଆ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ରାତି ପ୍ରାୟ ୯ଟା ଯାଏଁ ବିଭିନ୍ନ ନଥିପତ୍ରର ଯାଂଚ କରାଯାଇଥିଲା । ପରେ ଭିଜିଲାନ୍ସ ଟିମ୍‌ ପୃଥିବୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.