ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ବିବାଦ ମାମଲା: ହାଇକୋର୍ଟରେ ୧୩ରେ ହେବ ବିସ୍ତୃତ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାରେ ହାଇକୋର୍ଟ ଶୁଣାଣି ପାଇଁ ଗ୍ରହଣ କରି ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୧୩ରେ ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ତା ପୂର୍ବରୁ ସମସ୍ତ ପକ୍ଷ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି ।

ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠରେ ଏହି ମାମଲାର ଆଜି ଶୁଣାଣି କରାଯାଇଛି। ବିଦେଶୀ ଫିଲ୍ମକୁ ଅନୁକରଣ କରି ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଛି। ମୌଳିକ ଓଡିଆ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ନିୟମ ଉଲ୍ଲଂଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ଚୟନ କରାଯାଇଛି ବୋଲି ପ୍ରଶ୍ନ ଉଠିଥିବା ବେଳେ ଜୁରୀ ମାନେ ମନ ଇଚ୍ଛା ନିଷ୍ପତ୍ତି ନେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ପୁରସ୍କାର ନିଷ୍ପତ୍ତିର ପୁନର୍ବିଚାର କରାଯାଉ ବୋଲି ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି। ମୌଳିକ ଓଡିଆ ସିନେମାକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.