ପର୍ଯ୍ୟଟକଙ୍କ ବିଶ୍ୱାସ ଭାଙ୍ଗି ଦେଲା ହୋଟେଲ କର୍ମଚାରୀ, ମହିଳା ଯାତ୍ରୀଙ୍କ ଗାଧୁଆ ଭିଡିଓ କରୁଥିବା ବେଳେ ଧରାପଡ଼ିଲା

ପୁରୀ (କେନ୍ୟୁଜ୍‌) : ମହିଳା ପର୍ଯ୍ୟଟକ ହୋଟେଲ ବାଥରୁମରେ ଗାଧୋଉଥିବା ସମୟର ଚିତ୍ର ମୋବାଇଲରେ ଉଠାଇ ବିବାଦରେ ଫସିଛନ୍ତି ହୋଟେଲ କର୍ମଚାରୀ । ଏଭଳି ଘଟଣା ଘଟିଛି ପୁରୀକୁ ଆସିଥିବା ଜଣେ ମହିଳା ଯାତ୍ରୀଙ୍କ ସହ ।
ରବିବାର ଦିନ ସମୁଦ୍ର କୂଳ ଥାନା ଅଂଚଳର ହରିହର ଛକ ନିକଟ ହୋଟେଲ ଡି.କେରେ ଏହି ଘୃଣ୍ୟ ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ହୋଟେଲ କର୍ମଚାରୀକୁ ଗିରଫ କରିଛି । ହୋଟେଲ ଡି.କେରେ କାମ କରୁଥିବା ଏହି ଅଭଦ୍ର କର୍ମଚାରୀ ହେଉଛନ୍ତି ୨୫ ବର୍ଷୀୟ ବିପ୍ଲବ ମିତ୍ର ।

ତେବେ ମହିଳା ପର୍ଯ୍ୟଟକଙ୍କ ଏତଲା କ୍ରମେ ସମୁଦ୍ର କୂଳ ଥାନା ପୁଲିସ ଅଭିଯୁକ୍ତ ବିପ୍ଲବ ମିତ୍ରକୁ ଗିରଫ କରିଛି । ଅଭିଯୁକ୍ତ ବିପ୍ଳବ ଡି.କେ ହୋଟେଲରେ ହାଉସ କିପିଂ ଷ୍ଟାଫ ଭାବେ କାମ କରୁଥିଲା । ମହିଳା ପର୍ଯ୍ୟଟକ ସୁନ୍ଦରଗଡରୁ ପୁରୀ ବୁଲିବାକୁ ଆସିଥିଲେ । ପରିବାର ସହ ଶନିବାର ଠାରୁ ପୁରୀ ଆସି ହୋଟେଲ ଡିକେରେ ରହୁଥିଲେ । ତେବେ ରୁମ୍ ସଫା କରାଯିବା ସମୟରେ ପରିବାର ଲୋକେ ବାହାରକୁ ବାହାରି ଯାଇଥିଲେ । ସେତେବେଳେ ଏହି ପରିବାରର ଜଣେ ମହିଳା ବାଥ୍‌ରୁମ୍‌ରେ ଗାଧାଉଥିଲେ । ଏକଥା ଜାଣି ବିପ୍ଲବ ମିତ୍ର ଚାଲାକି କରି ଏହାର ଭିଡିଓ କରିଥିଲା । ତେବେ ତାର ଚାଲାକି ଧରାପଡି ଯାଇଥିଲା ମହିଳାଙ୍କ ଆଖିରେ । ସେ ସିଧା ପହଞ୍ଚିଥିଲେ ପୋଲିସ୍ ନିକଟରେ ।

ଘଟଣା ଜଣା ପଡ଼ିବା ପରେ ପର୍ଯ୍ୟଟକଙ୍କ ପ୍ରତି ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ସମସ୍ତେ । ପୁରୀ ହୋଟେଲ ମାଲିକ ସଙ୍ଘ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ନିନ୍ଦା କରାଯାଇଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ପୁରୀରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ପୁରୀ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.