କରୋନା ଭୟରେ କୌଣସି ଭଡାଟିଆକୁ ଘରୁ ବାହାର କରିପାରିବେନି ଘର ମାଲିକ, ଏଭଳି କଲେ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ଏବେ ସମସ୍ତଙ୍କୁ ଭୟଭୀତ କରିଛି। କେବଳ ସଚେତନ ହେଲେ କରୋନା ମୁକାବିଲା କରିହେବ ବୋଲି ଯେତେ କୁହାଯାଉଥିଲେ ମଧ୍ୟ ଲୋକେ ଆତଙ୍କିତ ହେବା ଛାଡୁନାହାନ୍ତି। ଏହି ପରିସ୍ଥିତିରେ କେତେକ ସ୍ଥାନରେ ଘରମାଲିକ ଭଡ଼ାଟିଆଙ୍କୁ ଘର ଛାଡିବାକୁ କହୁଛନ୍ତି ତ ଆଉ କେଉଁଠି ଅଣଓଡ଼ିଆ ଶ୍ରମିକଙ୍କୁ ଠିକାଦାର ବିଦା କରିଦେଉଛି। ଯାହା ଫଳରେ ଅନେକ ଅପ୍ରିତିକର ପରିସ୍ଥିତି ଉପୁଯୁଛି ।  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହା ଉପରେ ପୋଲିସ କମିସନର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ସରକାର କିମ୍ବା ପୋଲିସ କେହି ଭଡ଼ାଟିଆଙ୍କୁ ଘରୁ ତଡ଼ିବା ପାଇଁ ନିର୍ଦ୍ଦେଶ ଦେଇ ନାହାନ୍ତି ବା ଅଣଓଡ଼ିଆ ଶ୍ରମିକଙ୍କୁ ବିଦା କରିବାକୁ କହିନାହାନ୍ତି। ତେଣୁ ଯଦି ଏଭଳି ଅଭିଯୋଗ ଆସେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ଏ ନେଇ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ସମସ୍ତ ଘର ମାଲିକଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଆଚାର୍ଯ୍ୟ ବିହାର ପରିଷଦ। ଏହି ବିଜ୍ଞପ୍ତି ମୁତାବକ, ‘କରୋନା ଭାଇରସ ନ ବ୍ୟାପିବା ପାଇଁ ଭଡ଼ାଟିଆଙ୍କୁ ଘରୁ ତଡ଼ିବାକୁ ପଡ଼ିବ। ଏ ନେଇ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ତୁରନ୍ତ ସମସ୍ତ ଘରମାଲିକ ଭଡ଼ାଟିଆଙ୍କୁ ତଡ଼ନ୍ତୁ’ ବୋଲି ନୋଟିସ୍‌ରେ ଲେଖାଯାଇଛି। ପରିଷଦର ନୋଟିସ୍‌କୁ ଆଧାର କରି ଘରମାଲିକମାନେ ସମସ୍ତ ଭଡ଼ାଟିଆଙ୍କୁ ତୁରନ୍ତ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

rentଏଭଳି ସ୍ଥିତିରେ କେତେ ଜଣ ଘର ଛାଡ଼ି ଚାଲି ଯାଇଥିବା ବେଳେ ଆଉ କେତେ ଜଣ ଏନେଇ ପୋଲିସ କମିସନରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କମିସନର ତୁରନ୍ତ ଏ ନେଇ ସ୍ପଷ୍ଟ କରିବା ସହ ଆଚାର୍ଯ୍ୟ ବିହାର ପରିଷଦକୁ ଜବାବ ମାଗିଥିଲେ। ଭଡ଼ାଟିଆଙ୍କୁ ଘରୁ ତଡ଼ିବା ପାଇଁ ପୋଲିସ କମିସନର କିମ୍ବା ସରକାର କୌଣସି ନିର୍ଦ୍ଦେଶ ଦେଇନଥିଲେ। କେବଳ ଘରୁ ତଡ଼ିବା ପାଇଁ ପୁଲିସ ଓ ସରକାରଙ୍କ ନାଁ ନେଇ ଏଭଳି ନୋଟିସ କରିଥିବା ପରିଷଦ ସ୍ବୀକାର କରିଥିଲା। ଦୋଷ ସ୍ବୀକାର ପରେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହେଉଥିବା କମିସନର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.