କଡ଼ା କଟକଣା ସତ୍ତ୍ବେ କେମିତି ଶ୍ରୀମନ୍ଦିର ଭିତରକୁ ଯାଉଛି ମୋବାଇଲ ଫୋନ?, ଗତ ୨ ବର୍ଷ ଧରି ୮ଥର ଶ୍ରୀମନ୍ଦିର ଫଟୋ ହେଇଛି ଭାଇରାଲ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ଓ ମୋବାଇଲ୍‌ ଫୋନ୍‌  ନେବା ଉପରେ ରହିଛି କଡ଼ା କଟକଣା। ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ଆଇନ ଅନୁଯାୟୀ ଏହା ଏକ ଅପରାଧ। ମୋବାଇଲ୍‌ ଫୋନ ନେଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଶ୍ରୀମନ୍ଦିର ଆଇନ ୧୯୫୫ ଓ ଆଇଟି ଆକ୍ଟର ବିରୋଧାଚରଣ କରୁଛି। ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣର ଭୟ ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ୨୦୧୭ ଜାନୁଆରୀ ଏକ ତାରିଖରୁ ମୋବାଇଲ୍‌  ଫୋନ୍‌  ନେବା ଉପରେ କଡ଼ା କଟକଣା କରାଯାଇଥିଲା । ଏହାସତ୍ତ୍ୱେ ଗତ ୨ ବର୍ଷ ଧରି ୮ଥର ଶ୍ରୀମନ୍ଦିର ଫଟୋ ଭାଇରାଲ ହେବା ଘଟଣା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।ଗତ ଜାନୁଆରୀ ମାସ ୨୦ରେ ଶ୍ରୀମନ୍ଦିରର ପାଟରା ସେବାୟତ ଆଶୋକ ପାତ୍ର ଏଭଳି ନିଷିଦ୍ଧାଞ୍ଚଳ ଫଟୋ ଭାଇରାଲ କରି ସେବାରୁ ନିଲମ୍ବିତ ହୋଇଥିଲେ। ସେହିପରି ଗତବର୍ଷ ଅକ୍ଟୋବର ୮ରେ ସମୁଦ୍ରକୂଳ ଥାନା ଅଧିକାରୀ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ସମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୨୦୧୭ ନଭେମ୍ବର ୧୨ରେ ଏଏସ୍‌ଆଇ ବୈଜ୍ଞାନିକ ସନାତନ ଶର୍ମା ଗର୍ଭଗୃହ ମରାମତି ସମୟର ଫଟୋ ଅପଲୋଡ୍‌  କରିବା ପରେ ହାଇକୋର୍ଟ ନିଜ ତରଫରୁ ମାମଲା ରୁଜୁ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିବାକୁ ନିର୍ଦ୍ଦେଶ କରିଥିଲା। ଏବେ ଆନନ୍ଦବଜାରରେ ଓଡ଼ିଆ ଅଭିନେତ୍ରୀ ଦିବ୍ୟା ତାଙ୍କ ପରିବାର ମହାପ୍ରସାଦ ଖାଉଥିବା ଫଟୋରେ ଦେଖିବାକୁ ମିଳିଥିଲା । ଏହି ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦାୟର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.