ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୫୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଇଲିଶି ପ୍ରଜାତିର ଇଲା ମାଛ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଧାମରା ଜେଟିରେ ଶହ ଶହ ଲୋକ । କିଏ ଜାଲରୁ ମାଛ କାଢିବା ପାଇଁ ବ୍ୟସ୍ତ ତ କିଏ ବହୁ ଦିନ ପରେ ଧାମରା ଜେଟିରେ ଏତେ ପରିମାଣରେ ମାଛ ଧରାପଡିଥିବାରୁ ଦେଖିବାକୁ ଏ ଭିଡ଼ ଲାଗିଛି । ବୋଟରୁ ଜେଟି ପର୍ଯ୍ୟନ୍ତ ଲମ୍ବିଛି ଜାଲ ଆଉ ଜାଲରେ ଛନ୍ଦିହୋଇ ପଡିଛନ୍ତି ଇଲା ନାମକ ମାଛ । ଦେଖିବାକୁ ଅବିକଳ ଇଲିସ୍ ପରି । ଆକାରରେ ଛୋଟ ଦାମ ମଧ୍ୟ ୭୦ ରୁ ୧୦୦ ଟଙ୍କା ଭିତରେ ।

କରଣପଲ୍ଲୀ ନିବାସୀ ବିକି ମଣ୍ଡଳଙ୍କ ବୋଟରେ ପାଖାପାଖି ୫୦ କୁଇଣ୍ଟାଲ ମାଛ ପଡିଥିବାର ଜଣାପଡ଼ିଛି । ଆଇ.ଏନ.ଡି ଓଆର ଜିରୋ ୱାନ ଏମଏମ-୫୪୪ ମା ଶିତଳା-୩୪ ନାମକ ଗିଲେଟିଙ୍ଗ ବୋଟ ଟି ଗତକାଲି ଗଭୀର ସମୁଦ୍ରରେ ମାଛ ମାରୁଥିବା ବେଳେ ଏହି ମାଛ ସବୁ ତାଙ୍କ ବୋଟରେ ଲାଗିଥିଲା । ମାଛର ପରିମାଣ ବହୁ ଅଧିକ ଥିବାରୁ ବାଧ୍ୟ ହୋଇ ବୋଟ ଚାଳକ ଜାଲକୁ ଅଧାରୁ କାଟି ସମୁଦ୍ରରେ ଭସାଇ ଦେଇଥିଲେ । ପରେ ଅବଶିଷ୍ଟ ମାଛକୁ ଧରି କୂଳକୁ ଫେରିଥିଲେ ।

ଆଜି ସକାଳ ସମୟରେ ବୋଟ ଧାମରା ମାଛଧରା ବନ୍ଦର ଜେଟିରେ ଲାଗିବା ବେଳେ ଜାଲରୁ ମାଛ କାଢିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଏତେ ପରିମାଣର ମାଛ ଧାମରା ଠାରେ ବିକ୍ରି ସମ୍ଭବ ନ ଥିବାରୁ ଏହାକୁ ପଶ୍ଚିମବଙ୍ଗ କଣ୍ଟାକୁ ପଠାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.