ମୟୁରଭଞ୍ଜ : ପୋଲ ନିର୍ମାଣ ପାଇଁ ନରବଳି ଦେବାକୁ ଉଦ୍ୟମ ଅଭିଯୋଗ, ଗାଁ ଲୋକଙ୍କ ଭିତରେ ଉତ୍ତେଜନା ପରେ ପୋଲିସ ଗିରଫ କଲା ଜଣକୁ

ବାରିପଦା (କେ ନ୍ୟୁଜ୍‌) : ପୋଲ ନିର୍ମାଣ ବେଳେ ନରବଳି ଦେବାକୁ ଉଦ୍ୟମ ଅଭିଯୋଗ । ଗାଁରେ ପ୍ରବଳ ଉତ୍ତେଜନା ପରେ ପୋଲିସ୍‌ ପହଞ୍ଚିଲା ।

ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ର କଳାବାଡିଆ ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ଏକ ପୋଲ ନିର୍ମାଣ ହେଉଛି । ଯାହାର ନାଁ ହେଉଛି ଗୋଳା ପୋଲ । ଏହି ପୋଲ କାମ ହରିୟାଣାର E-5 ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍ କରୁଛି । କଳାବାଡିଆ ଓ କୁଳିଅଣା ଠାରେ ମଧ୍ୟ ପୋଲ ନିର୍ମାଣ କାମ ଆରମ୍ଭ କରିଛି। ହେଲେ ଆଜି ଏହି କମ୍ପାନୀର କିଛି କର୍ମଚାରୀ ଗୋଳାପୋଲ ଠାରେ ଏକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ଯାହାକୁ ନେଇ ଗାଁ ଲୋକେ ରକ୍ତମୁଖା ହୋଇ ଉଠିଥିଲେ । ପୋଲରେ କାମ କରୁଥିବା କିଛି କର୍ମଚାରୀ ଗୋଳାପୋଲରେ ନରବଳି ଦେବାକୁ ଷଡଯନ୍ତ୍ର କରୁଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ଚାରି ଜଣ କୁନି କୁନି ପୁଅ, ଝିଅ ଘଟଣା ସ୍ଥଳରେ କାନ୍ଦି କାନ୍ଦି ପୋଲିସ୍‌କୁ ଦେଇଥିଲେ ଏଭଳି ବିଷ୍ଫୋରକ ବୟାନ।

narabali-2

ଏନେଇ କଳାବାଡିଆ ସମିତି ସଭ୍ୟ ଏବଂ ଗ୍ରାମବାସୀ ପୋଲିସ୍‌କୁ ଲିଖିତ ଅଭିଯୋଗ କରିଥିଲେ । ସେହି ୪ଟି ଛୁଆଙ୍କୁ ନରବଳି ଦେବା ପାଇଁ କମ୍ପାନୀ କର୍ମଚାରୀ ଷଡଯନ୍ତ୍ର କରୁଥିଲେ ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣା ସ୍ଥଳରେ ଥାନା ଅଧିକାରୀ ଦୟାନିଧି ଦାସଙ୍କ ସହିତ ଡିଏସପି ଯଦୁନାଥ ଜେନା ପହଞ୍ଚି କମ୍ପାନୀର ଜଣେ ବୟସ୍କ କର୍ମଚାରୀ ହରିଆଣାର ଜୟ ଭଗବାନଙ୍କୁ ଗିରଫ କରିଛି । ତାଙ୍କ ବୟସ ୬୦ ବର୍ଷ । ତେବେ ତାଙ୍କୁ ଗିରଫ କରାଯିବା ପରେ ଉତ୍ତେଜନା ଥମିଥିଲା । ଏବେବି ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ତଦନ୍ତ ଜାରି ରଖିଛି।

narabali tension

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.