ଜଘନ୍ଯ ହତ୍ଯାକାଣ୍ଡ: ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ମାରିଦେଲା ସ୍ବାମୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ ଘଟିଛି ଜଘନ୍ଯ କାଣ୍ଡ। ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ ହତ୍ଯା କରିଛି ସ୍ବାମୀ । କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ଏବେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା ଗାଁରେ ପାରିବାରିକ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ସ୍ବାମୀ ମେଘନାଦ ତରାଇ (୪୨) ଓ ସ୍ତ୍ରୀ ପାର୍ବତୀ ତରାଇ(୩୭)ଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ହେଉଥିବା ଶୁଣି ମେଘନାଦଙ୍କ ବାପା ଶ୍ରୀଧର ତରାଇ ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେଦୁହେଁ ଦେଖିଲେ ଯେ ମେଘନାଦ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇବାରେ ଲାଗିଛନ୍ତି। ଉଭୟ ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳକୁ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିସାରିଥିଲା। ମେଘନାଦଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଅନ୍ଯପଟେ ଗାଁରେ ଚର୍ଚ୍ଚା ହେଉଛି କି, ସ୍ବାମୀ ମେଘନାଦ ତରାଇ ନିଜର ପୂର୍ବତନ ପ୍ରେମିକା ସହ ସଂପର୍କ ରଖିଥିବାରୁ ସ୍ତ୍ରୀ ପାର୍ବତୀ ତରାଇ ଏହାକୁ ବିରୋଧ କରି ଆସୁଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସବୁଦିନ କଳି ଲାଗୁଥିଲା। ଏହାସହ ମେଘନାଦଙ୍କ ପୂର୍ବତନ ପ୍ରେମିକା ମଧ୍ଯ ଗାଁରୁ ଗତ କିଛି ଦିନ ହେବ ଗାଏବ ହୋଇଯାଇଥିବା କୁହାଯାଉଛି। ତେବେ କୁଜଙ୍ଗ ଥାନା ପୋଲିସ୍‌ ସ୍ୱାମୀ ମେଘନାଦଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।