ଉତ୍ତର ପ୍ରଦେଶ ପରେ ଏବେ ମଧ୍ୟ ପ୍ରଦେଶରେ ବି ଗଣଦୁଷ୍କର୍ମ, ୩ ଯୁବକ ମିଶି ନାବାଳିକାକୁ ଝୁଣିଦେଲେ

ହାଥରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନପୂରୁଣୁ ମଧ୍ୟପ୍ରଦେଶର ଖରାଗୋନ୍‌ରେ ଘଟିଛି ସମାନ ଘଟଣା। ଏଠାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଖିନ୍‌ଭିନ୍‌ କରି ଖାଇଯାଇଛନ୍ତି ନର ରାକ୍ଷସ। ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।

ଜିଲ୍ଲା ମୁଖ୍ୟାଳୟଠାରୁ ୫୫ କିଲୋମିଟର ଦୂର ଝିରନ୍ୟା ଥାନା ଅଞ୍ଚଳର ମାରୁଗଡ଼ ଗାଁରେ ଏଭଳି ଘଟଣା ଘଟିଛି। ଏଠାରେ ଭାଇ ସହ ୧୬ ବର୍ଷୀୟ ଭଉଣୀ କ୍ଷେତ ଜଗିବାକୁ ଯାଇଥିଲା। ଅଧରାତିରେ ସେମାନଙ୍କ ଚାଳିଆକୁ କିଛି ଲୋକ ପାଣି ପିଇବାକୁ ଆସିଥିଲେ। ସେମାନେ ପାଣି ପିଇ ସାରି ଫେରିଯାଇଥିଲେ। ପରେ ସେମାନେ ପୁଣି ଫେରି ଆସି ଭାଇକୁ ବାଡ଼ିଆପିଟା କରିଥିଲେ ଓ ଭଉଣୀକୁ ଉଠାଇ ନେଇ ସେଠାରୁ ଚାଲିଯାଇଥିଲେ। ଭଉଣୀ ସହ ୩ ଜଣ ଗଣଦୁଷ୍କର୍ମ କରି ରାସ୍ତା ଉପରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ପୀଡ଼ିତା କହିଛନ୍ତି ଯେ ତାଙ୍କ ସହ ୩ ଜଣ ଦୁଷ୍କର୍ମ କରିଛନ୍ତି। ଭାଇ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ। ପୋଲିସ ଏବେ ରାସ୍ତାରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଖୋଜୁଛି।

ଏହି ଘଟଣାକୁ ନେଇ ଶିବରାଜ ସରକାରକୁ ଘେରିଛି କଂଗ୍ରେସ। କଂଗ୍ରେସ ଟ୍ଵିଟ୍‌ କରି କହିଛି ଶିବରାଜ ଚରମସୀମାରେ ପହଞ୍ଚିସାରିଲାଣି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଖରଗୋନ୍‌ର ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ସିହୋରେ ଚାଷୀ ଆତ୍ମହତ୍ୟା, ଭୋପାଳରେ ଚାକିରି ନମିଳିବାରୁ ଯୁବକଙ୍କ ଆତ୍ମହତ୍ୟା ଆଦି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଶିବରାଜ ସରକାରଙ୍କର କେବେ ନିଦ ଭାଙ୍ଗିବ ଓ କେବେ ଏପରି ଘଟଣା ବନ୍ଦ ହେବ କେଜାଣି?