ରିମାଣ୍ଡ ଅବଧି ଶେଷ ପରେ ଝାରପଡା ଜେଲ ଗଲେ IAS ବିଜୟକେତନ ଉପାଧ୍ୟାୟ, ୧୩ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

କେନ୍ୟୁଜ୍(ବ୍ୟୁରୋ): ସରିଲା ରିମାଣ୍ଡ ଅବଧି । ଝାରପଡ଼ା ଜେଲ ଗଲେ ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ । ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଭିଜିଲାନ୍‌ସ ଆଉ ଅଧିକ ଦିନ ରିମାଣ୍ଡ ଆବେଦନ ନକରିବାରୁ ବିଜୟକେତନଙ୍କୁ ଜେଲ ପଠାଇ ଦିଆଯାଇଛି । ଆସନ୍ତା ୮ତାରିଖରେ ତାଙ୍କ ଜାମିନ ନେଇ ନିଷ୍ପତ୍ତି ଶୁଣାଇବେ କୋର୍ଟ । ଆଜି ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଛି । ବିଜୟକେତନଙ୍କୁ ୫ଦିନିଆ ରିମାଣ୍ଡର ନେଇ ପଚରାଉଚରା ବେଳେ ଭିଜିଲାନ୍‌ସକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଉଦ୍ୟାନ ବିଭାଗରେ ଆର୍ଥିକ ଅନିୟମିତତା ନେଇ ଅନେକ ଗୁମର ଖୋଲିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ବିଭାଗର ଏକ ଡିପୋଜିଟ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ପ୍ରାୟ ୩୦ କୋଟି ଟଙ୍କାର ଡିପୋଜିଟ୍‌କୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। କେବଳ ଡିପୋଜିଟ୍‌ ସ୍ଥାନାନ୍ତରିତ ହୋଇ ନଥିଲା। ଏହାସହ ୪ଟି ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା। ଏହାକୁ ନେଇ ଏବେ ଭିଜିଲାନସ୍‌ ଖୋଳତାଡ କରୁଛି । ଉଦ୍ୟାନ ବିଭାଗରେ ବିଲ ପାସ କରାଇବା ପାଇଁ ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ସୋମବାର ୨୦୦୯ ବ୍ୟାଚର ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍‌ସ ବିଭାଗ ହାତରେ ଧରା ପଡ଼ିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.