କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ, ମୁଖ୍ୟଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ଆୟକର ବିଭାଗର ଚିଫ୍ କମିଶନର ପ୍ରଭାକାନ୍ତ ଝା
କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ । କିସରେ ଦିଲ୍ଲୀ ଆୟକର ବିଭାଗର ଚିଫ୍ କମିଶନର ପ୍ରଭାକାନ୍ତ ଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । କିଟ୍ ଓ କିସ୍ର ଛାତ୍ରଛାତ୍ରୀମାନେ ପରେଡ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।
କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଛି ୭୩ତମ ସ୍ୱାଧୀନତା ଦିବସ । କିସରେ ସ୍ୱାଧୀନତା ଦିବସ ଉତ୍ସବରେ ଦିଲ୍ଲୀ ଆୟକର ବିଭାଗର ଚିଫ୍ କମିଶନର ପ୍ରଭାକାନ୍ତ ଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ ସହ ଛାତ୍ରଛାତ୍ରୀମାନେ ପରେଡ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲେ ।
ସ୍ୱାଧୀନତା ଦିବସ ଅବସରରେ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଓ ଭାରତକୁ ସୁନାମ ଆଣି ଦେଇଥିବା କିଟ୍ ଓ କିସ୍ର ଛାତ୍ରୀ ତଥା କ୍ରୀଡ଼ାବିତ୍ ପୂର୍ଣ୍ଣିମା ହେମ୍ବ୍ରମ୍, ଶ୍ରେୟାଙ୍କା ଷଡଙ୍ଗୀ, ଋତୁପର୍ଣ୍ଣା ପଣ୍ଡା, ସାଇନା ସାଲୋନିକାଙ୍କୁ ଡ. ସାମନ୍ତ ଆଜି ଶୁଭେଚ୍ଛା ଜଣାଇବା ସହ କିଟ୍ ପରିସରରେ ସମ୍ବର୍ଦ୍ଧିତ କରିଛନ୍ତି । ଶିକ୍ଷା ସହ କ୍ରୀଡ଼ାକୁ ସର୍ବଦା ସମାନ ଅଗ୍ରାଧିକାର ଦେଇ ଆସୁଥିବା ଡ. ସାମନ୍ତ କିଟ୍ ଓ କିସ୍ର ଏହି ବିଶ୍ୱବିଜୟୀ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । କିସ୍ରେ ଯୁକ୍ତ ୩ ପଢୁଥିବା ପୂର୍ଣ୍ଣିମା ଦୌଡ଼ରେ ଓଡ଼ିଶାକୁ ସୁନାମ ଆଣିଥିବା ବେଳେ ସୁଟିଂରେ ଓଡ଼ିଶା ପାଇଁ ଖ୍ୟାତି ଆଣିଥିବା ଶ୍ରୀୟଙ୍କା କିଟ୍ ବିଶ୍ୱବିଦ୍ୟାଳୟରେ ଏମ୍ବିଏ ପଢୁଛନ୍ତି ଏବଂ ବ୍ୟାଡ୍ ମିଣ୍ଟନରେ ସୁନାମ ଅର୍ଜନ କରିଥିବା ଋତୁପର୍ଣ୍ଣା ବିବିଏ ପଢୁଛନ୍ତି । ସେହିପରି ଚେସ୍ରେ ଓଡ଼ିଶା ପାଇଁ ସୁନାମ ଆଣିଥିବା ସାଇନା ଏବେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଏକାଦଶ ଶ୍ରେଣୀର ଛାତ୍ରୀ ।
କିଟ୍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ତେଣୁ ଏକାଗ୍ରତାର ସହ ଦେଶ ପାଇଁ କାର୍ଯ୍ୟ କରିବାର ଆବଶ୍ୟକ ରହିଥିବା କହିଥିଲେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ।