ଗୁଜବ ଠାରୁ ଦୂରେଇ ରୁହନ୍ତୁ: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇନି କୌଣସି ସୂଚନା

ଭୁବନେଶ୍ୱର(କେନ୍ୟୁଜ୍): ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଅନୁମାନ କରୁଥିଲେ । ଏହାପରେ ବାତ୍ୟା ଗୁଜବରୁ ଦୂରେଇ ରହିବାକୁ କହିଛି ପାଣିପାଗ ବିଭାଗ । ପୂର୍ବରୁ ଆଇଏମ୍‌ଡି ମଧ୍ୟ ସ୍ପଷ୍ଟ କରିଥିଲା, ଆଗାମୀ ୧୫ ଦିନ ଭିତରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ ।

cyclone

ସେପଟେ ଆମେରିକୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ କହିଛନ୍ତି, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହାର ଗତିପଥ କିମ୍ବା ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇ ନାହିଁ । ସେହିପରି ଓ୍ଵିଣ୍ଡିର GFS ମଡେଲ ମୁତାବକ, ୧୮-୧୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଯେତେ ଯାଏ ଲଘୁଚାପ ସୃଷ୍ଟି ହୋଇ ନାହିଁ, ସେ ଯାଏ ବାତ୍ୟା କିମ୍ବା ତା’ର ଗତିପଥର ଆକଳନ କରି ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.