ଭୁବନେଶ୍ୱର : ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ଭୁବନେଶ୍ୱର (କେନ୍ଯୁଜ୍) : ତୈଳ ଦର ବ୍ରୁଦ୍ଧିକୁ ନେଇ କଂଗ୍ରେସ କର୍ମୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ରାଜ୍ଯରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱର ଷ୍ଟେସନରେ ମଧ୍ୟ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି। କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କର୍ମୀମାନେ ଷ୍ଟେସନ ଉପରେ ଧାରଣାରେ ବସି ରହିଛନ୍ତି। ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି।
ସମ୍ବଲପୁରରେ ମଧ୍ୟ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଓ ସମ୍ବଲପୁର-ରାଉରକେଲା ଡିଏମ୍ୟୁକୁ କର୍ମୀମାନେ ଅଟକାଇ ରଖିଛନ୍ତି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଭାରତ ବନ୍ଦର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସଦର ମହକୁମା ପାରଳାଖେମୁଣ୍ଡିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଛକ ଓ ପାରଳାଖେମୁଣ୍ଡିକୁ ଯୋଗାଯୋଗ କରୁଥିବା ରାସ୍ତା ଗୁଡକରେ କର୍ମୀମାନେ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ବସ୍ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ । ସକାଳୁ ସକାଳୁ କଂଗ୍ରେସ ଓ ବାମଦଳର କର୍ମୀମାନେ ପିକେଟିଂ କରି ରେଳରୋକ କରିଛନ୍ତି। ଟାଟା-ବିଶାଖାପାଟଣା ଏକ୍ସପ୍ରେସ ଓ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଷ୍ଟେସନରେ ଅଟକି ରହିଛି। ଜାତୀୟ ରାଜପଥ ୨୦ ଓ ୪୯କୁ ବି ଅବରୋଧ କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲାର ୩ଟି ପୌରପରିଷଦ ଓ ୫ଟି ବ୍ଲକରେ ଏହି ବନ୍ଦ ପାଳନ କରାଯାଉଛି। କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ସହରର ସମସ୍ତ ଦୋକାନ, ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି। ବସ୍ ଚଲାଚଳ ଠପ୍ ହୋଇଯାଇଥିବାରୁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ଅଟକି ରହିଛନ୍ତି।