ସଡ଼କ ଦୁର୍ଘଟଣାରେ ଯବାନ ମୃତ, ଭାଇରାଲ ହେଉଛି ମୃତ୍ୟୁର ୧୦ ମିନିଟ୍ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ

କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ଗାଁକୁ ଛୁଟିରେ ଆସିଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।

ସୋରଡା (କେନ୍ୟୁଜ) : କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ମୃତ୍ୟୁ କେତେବେଳେ ଯେ କାହାକୁ ତାର ଶିକାର ବନାଇଦିଏ ତାହା କେହି ବି ଜାଣିନଥାନ୍ତି । ଏଇ ଯେମିତି ଘଟିଛି ଏହି ଯବାନଙ୍କ କ୍ଷେତ୍ରରେ । ଛୁଟିରେ ଘରକୁ ଆସିଥିଲେ ବୁଲିବା ପାଇଁ କିନ୍ତୁ ସେ କଣ ଜାଣିଥିଲେ ଏଇଟା ତାଙ୍କର ଶେଷ ଘରକୁ ଯିବା । ସୀମା ସୁରକ୍ଷା ବାହିନୀରୁ ନିଜକୁ ସାମାନ୍ୟ ବିଶ୍ରାମ ଦେବା ପାଇଁ ଘରକୁ ଛୁଟିରେ ଆସିଥିଲେ କୁଶରା ଗ୍ରାମର ୨୫ ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ପାଢୀ । ଘରକୁ ଆସିଛନ୍ତି ସାଙ୍ଗସାଥି ପରିବାର ପ୍ରିୟଜନଙ୍କ ସହ ଛୁଟି କାଟି ଖୁସି ମନାଉଥିଲେ । କିନ୍ତୁ କେହି ବି ଜାଣିନଥିଲେ ଜୀବନକୁ ଭଲଭାବେ ଜିଇଁ ନଥିବା ଜିତେନ୍ଦ୍ର ଏମିତି ଅକାଳରେ ଚାଲିଯିବେ ବୋଲି ।

ଘରୁ ବାହାରିପଡିଲେ ବାଇକ ଧରି । ରାସ୍ତାରେ ଗଲାବେଳେ ପ୍ରକୃତିକୁ ଉପଭୋଗ କରି ହସି ହସି ରିଲ୍ସ ବି କଲେ । କିନ୍ତୁ ସେହି ରିଲ୍ସ ଅପଲୋଡ୍ କରିବାର ମାତ୍ର ୧୦ ମିନିଟ୍ ପରେ ବସ୍ ଧକ୍କାରେ ଚାଲିଗଲା ଜିତେନ୍ଦ୍ରଙ୍କ ଜୀବନ। ଜୀବନ ମୃତ୍ୟୁ ଭିତରେ ମୃତ୍ୟୁକୁ ଜୟ କରିପାରିଲେନି ଜିତେନ୍ଦ୍ର । ଏପରି ଏକ ଅତି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ।

ମୃତ ଯବାନ ଜଣକ ହେଲେ କୁଶରା ଗ୍ରାମର ୨୫ ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି ପାଇ ପଞ୍ଜାବରେ କାର୍ଯ୍ୟ କରୁଥିଲେ । ଚଳିତ ମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିବା ବେଳେ ଦୁର୍ଘଟଣାରେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜିତେନ୍ଦ୍ର ସୋରଡା ପଟୁ ନିଜ ଗାଁକୁ ଆସୁଥିବା ବେଳେ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇକ୍ରିଷ୍ଣା ନାମକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଆଉ ଧକ୍କା ଏତେ ଜୋରରେ ଥିଲା ଯେ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଗଲା ଜିତେନ୍ଦ୍ରଙ୍କର । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଡ୍ରାଇଭରକୁ ଅଟକ ରଖି ଶବ ବ୍ଯବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି । ତେବେ ଜିତେନ୍ଦ୍ର ସିନା ଚାଲିଗଲେ ଅଫେରା ରାଇଜକୁ କିନ୍ତୁ ରହିଗଲା ମୃତ୍ୟୁର ମାତ୍ର କିଛି ସମୟ ପୂର୍ବରୁ ଅପଲୋଡ କରିଥିବା ସେ ଭିଡିଓ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.