Below header

ଫେକ୍‌ ସାର୍ଟିଫିକେଟରେ ଚାକିରି ପ୍ରସଙ୍ଗ: ସିବିଆଇ ତଦନ୍ତ କରିବାକୁ ଚିଠି ଲେଖିଲା ଭୁବନେଶ୍ୱର ପୋଷ୍ଟାଲ ଡିପାର୍ଟମେଣ୍ଟ

ଯାଞ୍ଚ ବେଳେ ରାଜ୍ୟ ବାହାର ବୋର୍ଡର ନକଲି ସାର୍ଟିଫିକେଟ ଦେଇ ବିଭିନ୍ନ ସ୍ଥାନରେ ଆଶାୟୀ ଆବେଦନ କରିଥିବା ନଜରକୁ ଆସିଛି । ଏଥିରେ ସଂଗଠିତ ଅପରାଧୀ ଗୋଷ୍ଠୀ ସାମିଲ ଥିବା ସନ୍ଦେହ କରାଯାଉଛି ।

କେନ୍ୟୁଜ୍(ବ୍ୟୁରୋ): ଫେକ୍‌ ସାର୍ଟିଫିକେଟରେ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାମଲାର ସିବିଆଇ ତଦନ୍ତ କରିବାକୁ ଚିଠି ଲେଖିଲା ଭୁବନେଶ୍ୱର ପୋଷ୍ଟାଲ ଡିପାର୍ଟମେଣ୍ଟ । ଯାଞ୍ଚ ବେଳେ ରାଜ୍ୟ ବାହାର ବୋର୍ଡର ନକଲି ସାର୍ଟିଫିକେଟ ଦେଇ ବିଭିନ୍ନ ସ୍ଥାନରେ ଆଶାୟୀ ଆବେଦନ କରିଥିବା ନଜରକୁ ଆସିଛି । ଏଥିରେ ସଂଗଠିତ ଅପରାଧୀ ଗୋଷ୍ଠୀ ସାମିଲ ଥିବା ସନ୍ଦେହ କରାଯାଉଛି ।

ଓଡ଼ିଶା ପୋଷ୍ଟାଲ ସର୍କଲରେ ୧୩୮୨ଟି ଗ୍ରାମୀଣ ଡାକ ସେବକ-GDS ପଦବୀ ପୂରଣ ପାଇଁ ପୋଷ୍ଟାଲ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା ଫେବ୍ରୁଆରୀ ୧୬ ତାରିଖ । ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ ରଖାଯାଇଥିଲା । ତେବେ ବିଭାଗ ପକ୍ଷରୁ ସର୍ଟଲିଷ୍ଟେଟ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ବେଳେ ବିଭିନ୍ନ ସ୍ଥାନରେ ଜାଲ ପ୍ରମାଣପତ୍ର ନଜରକୁ ଆସିଛି ।

ଉତ୍ତରପ୍ରଦେଶର ବୋର୍ଡ ଅଫ୍‌ ହାଇସ୍କୁଲ ଓ ସେକେଣ୍ଡାରୀ ଏଜୁକେସନର କିଛି ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ ଦେଇ ଆବେଦନ କରିଛନ୍ତି । ରାଜ୍ୟରେ ୨୫ଟି ପୋଷ୍ଟଲ ଡିଭିଜନ ରହିଛି । ବଲାଙ୍ଗୀରରେ ୩୮ ଜଣ ସନ୍ଦିଗ୍ଧ ଜାଲ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ସେହିପରି ଫୁଲବାଣୀରେ ଜଣେ, ଆସ୍କାରେ ଜଣେ ନକଲି ସାର୍ଟିଫିକେଟ ଦେଇଥିବା ଜଣାଯାଇଛି । ରାଜ୍ୟ ବାହାର ବୋର୍ଡର ଫେକ ସାର୍ଟିଫିକେଟରେ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଆବେଦନ କରିଥିବାରୁ ଏଥିରେ ସଂଗଠିତ ଅପରାଧୀ ଗୋଷ୍ଠୀ ସାମିଲ ଥିବା ସନ୍ଦେହ କରାଯାଉଛି । ଏଥିପାଇଁ ସିବିଆଇ ତଦନ୍ତ କରିବାକୁ ଭୁବନେଶ୍ୱର ପୋଷ୍ଟାଲ ଡିପାର୍ଟମେଣ୍ଟ ସିବିଆଇକୁ ଚିଠି ଲେଖିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.