ଯାଜପୁର: ପାଣିକୋଇଲି ଥାନା ତେଜପୁର ଗାଁରେ କଙ୍ଗାରୁ କୋର୍ଟ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଶାଶୁ, ଶ୍ବଶୁର ଓ ଦିଅର। ସମ୍ପୃକ୍ତ ଶାଶୁ, ଶ୍ବଶୁର ଓ ଦିଅରକୁ ବାନ୍ଧି ଗାଁ ଦାଣ୍ଡରେ ଚଲାଇବା ସହ ପୋଲିସର ଜିମା ଦେଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୁକୁ ତାର ସ୍ୱାମୀ ଅନୁପସ୍ଥିତିରେ ଶାଶୁ, ଶ୍ବଶୁର ଓ ଦିଅର ଆକ୍ରମଣ କରିବା ପରେ ଗ୍ରାମବାସୀ ମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଳାଇ ଚଳାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୁ ସରୋଜିନୀ ସ୍ବାଇଁଙ୍କୁ ମେଡିକାଲ ପଠାଇବା ସହ ଶାଶୁ, ଶ୍ବଶୁର ଓ ଦିଅରଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଉକ୍ତ ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ବଡ ପୁଅ ଜୟୀରାମ ଏବଂ ବୋହୁ ସରୋଜିନୀ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ଫଳରେ ପାଣିକୋଇଲି ଛକରେ ବ୍ୟବସାୟ କରୁଥିବା ଜୟୀରାମ ବେପାରକୁ ଚାଲିଯିବା ପରେ ବୋହୁ ସରୋଜିନୀଙ୍କୁ ଦିଅର ଓ ଶାଶୁ ଶ୍ବଶୁର ମିଶି ଅନେକ ସମୟରେ ନିର୍ଯ୍ୟାତନା ଦେଉଥିଲେ। ଏ ନେଇ ଗତ ୧୮ ତାରିଖରେ ପାଣିକୋଇଲି ଥାନାରେ ଉଭୟ ପକ୍ଷ ମାମଲା ରୁଜୁ କରିଥିଲେ। ତେବେ ସରୋଜିନୀଙ୍କ ମାମଲାଟି ଯୌତୁକଜନିତ ହୋଇଥିବାରୁ ଅନ୍ୟପକ୍ଷ ଉତ୍ତେଜିତ ହୋଇପଡିଥିଲେ। ଫଳରେ ଜୟୀରାମ ବେପାରକୁ ବାହାରି ଯିବା ପରେ ଦିଅର ଓ ଶାଶୁ, ଶ୍ବଶୁର ସରୋଜିନୀଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇଦେଇଥିଲେ ଏବଂ ତାଙ୍କ ପାଖରେ ଦିଅର ମହେନ୍ଦ୍ର ସ୍ୱାଇଁ ଠେଙ୍ଗା ଧରି ଜଗିରହିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଗ୍ରାମବାସୀ ଶାଶୁ, ଶ୍ବଶୁର ଓ ଦିଅରଙ୍କୁ ରଶିରେ ବାନ୍ଧି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେଇଥିଲେ। ତେବେ ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.