ବିଜେଡି ଫୋକସରେ ଦୁର୍ବଳ ଆସନ, ମୟୂରଭଞ୍ଜ ଓ ଧାମନଗର ପରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ

ବିଜେଡି ଫୋକସରେ ଦୁର୍ବଳ ଆସନ । ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକର ଧାମନଗର ପରେ ଏବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଭୁବନେଶ୍ୱର (କେନ୍ୟୁଜ୍‌): ବିଜେଡି ଫୋକସରେ ଦୁର୍ବଳ ଆସନ । ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକର ଧାମନଗର ପରେ ଏବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଯେଉଁ ସବୁ ଆସନରେ ସଫଳତା ମିଳି ନ ଥିଲା, ତାହାରି ଉପରେ ଦଳ ଏବେ ଫୋକସ କରୁଛି ।

କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତରୁ ଏହାର ଆଭାସ ମିଳୁଛି । ଗତ ଡିସେମ୍ବର ୧୯ରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ ଯାଇଥିଲେ । ଗତଥର ମୟୂରଭଞ୍ଜ ଲୋକସଭା ଆସନ ସହ ୬ଟି ବିଧାନସଭା ଆସନ ହାତଛଡା କରିଥିଲା ବିଜେଡି । ତା ପରେ ପାଣ୍ଡିଆନ ଧାମନଗର ଯାଇଥିଲେ । ୨୦୧୯ ପରଠାରୁ ୮ଟି ଉପନିର୍ବାଚନ ହୋଇଛି । କେବଳ ଧାମନଗର ଆସନକୁ ଛାଡିଲେ ବାକି ସମସ୍ତ ଆସନରେ ବିଜେଡି ଜିତିଛି ।

ଗତକାଲିଠାରୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି । ଗତଥର ସୁନ୍ଦରଗଡ଼ ଲୋକସଭା ଆସନ ବିଜେପି ଜିତିଥିଲା । ଏହା ଅଧୀନରେ ଥିବା ୭ ବିଧାନସଭା କ୍ଷେତ୍ରରୁ କେବଳ ରାଉରକେଲା ଏବଂ ରଘୁନାଥପଲ୍ଲୀ ଜିତିଥିଲା ବିଜେଡି । ରାଉରକେଲାରୁ ସାରଦା ନାୟକ ଏବଂ ରଘୁନାଥପଲ୍ଲୀରୁ ସୁବ୍ରତ ତରାଇ ଜିତିଥିଲେ । କିନ୍ତୁ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର ବିଧାନସଭା ଆସନ ବିଜେପି ହାତେଇ ଥିବାବେଳେ ରାଜଗାଙ୍ଗପୁରରେ କଂଗ୍ରେସ ଓ ବଣେଇରେ ସିପିଏମ ପ୍ରାର୍ଥୀ ବିଧାୟକ ହୋଇଥିଲେ ।

ତେଣୁ ସୁନ୍ଦରଗଡ଼ର ସମସ୍ତ ବିଧାନସଭା ସହ ଲୋକସଭା ଆସନ ଜିତିବାକୁ ବିଜେଡି ରଣନୀତି ତିଆରି କରୁଛି । ସେହିସବୁ ଆସନରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ସହ ୨୦୨୪ରେ ବିଜୟୀ ହେବା ପାଇଁ ବଡ଼ ଗେମପ୍ଲାନ ପ୍ରସ୍ତୁତ କରିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.