ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି, ମାସେ ଧରି ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶରେ ସଜ୍ଜିତ ହେବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି। ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏହି ୧ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପ୍ରଥମ ଦିନରେ ଶ୍ରୀମନ୍ଦିର ସିଂହଦ୍ୱାର ସକାଳ ୬ଟା ୧୦ ମିନିଟରେ ଖୋଲାଯାଇ କାର୍ତ୍ତିକ ନୀତି ସୁରୁଖୁରରେ ସମ୍ପାଦିତ ହୋଇଛି। ଦ୍ୱାରଫିଟା, ମଙ୍ଗଳଆରତୀ, ମଇଲମ, ତଡପଲାଗି , ଅବକାଶ ପରେ ରାଧାଦାମୋଦର ବେଶ କରାଯାଇଛି।

ତେବେ ସୂଚନା ଥାଉକି, ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ପାର୍ବଣ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଗତକାଲି ଠାରୁ ଲାଗୁ ହୋଇଛି ନୂଆ ଏସଓପି। ଗତକାଲି ଦଶହରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଭିଡ଼ ଏଡ଼ାଇବାକୁ ବନ୍ଦ ରଖାଯାଇଥିଲା ଦର୍ଶନ। ତେବେ କୁମାର ପୂର୍ଣ୍ଣିମାରେ କିନ୍ତୁ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ।

ପୂର୍ବଭଳି ମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ବନ୍ଦ ରହିବ ଦର୍ଶନ। ନଭେମ୍ବର ମାସରେ ଦୀପାବଳି ପାଇଁ ୪ତାରିଖରେ, ବଡ଼ ଏକାଦଶୀ ପାଇଁ ୧୫ ତାରିଖରେ ଓ କାର୍ତ୍ତିକ ପୂର୍ଣ୍ଣିମାରେ ୧୯ତାରିଖରେ ମନ୍ଦିର ବନ୍ଦ ରହିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବ କୋଭିଡ ଗାଇଡଲାଇନ ବଳବତ୍ତର ରହିବ।

ଅନ୍ଯପଟେ ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହୋଇଛି କଟକଣା। କୋଭିଡକୁ ଦୃଷ୍ଟିରେ ରଖି ଆଜି ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ଯାତ୍ରାରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମେଢ ଦେଖିବା ପାଇଁ ଦର୍ଶନାର୍ଥୀମାନଙ୍କ ଭିଡ ହେବା ସହ ସାମାଜିକ ଦୂରତା ନିୟମ ଉଲଂଘନ ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି। ଆଜି ମଧ୍ୟାହ୍ନ ୧୨ରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଏବଂ ସିଂହଦ୍ଵାରଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ ଲାଗିବ କଟକଣା। ସେ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.