ନବୀନଙ୍କୁ ଭେଟିଲେ କେସିଆର, ସମଭାବାପନ୍ନ ଆଞ୍ଚଳିକ ଦଳ ଏକାଠି ହେବା ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ବର : ନବୀନ-କେସିଆର୍‌ ଭେଟଘାଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନବୀନ ନିବାସରେ ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି, ଜାତୀୟ ରାଜନୀତି ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଚାଷୀ, ପୋଲାଭରମ୍‌ ଓ ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ବି ଆଲୋଚନା ହୋଇଥିଲା । ସେହିପରି କେ. ଚନ୍ଦ୍ରଶେଖରା ରାଓ କହିଛନ୍ତି, ଦେଶବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଆଗକୁ ସମଭାବାପନ୍ନ ଦଳ ସହ ସମ୍ପର୍କ ନେଇ ଆଲୋଚନା କରାଯିବ ।

ସେହିପରି ଓଡ଼ିଶାବାସୀଙ୍କୁ ପାଇଁ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଚନ୍ଦ୍ରଶେଖର ରାଓ । ସେହିପରି ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବି ନବୀନଙ୍କ ପଦକ୍ଷେପକୁ ସ୍ୱାଗତ ଓ ସମର୍ଥନ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଚନ୍ଦ୍ରଶେଖର ରାଓ । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେସିଆରଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ ପୂର୍ବରୁ କିମ୍ବା ପରେ ସବୁ ଆଂଚଳିକ ଦଳ ଏକଜୁଟ ହେବା ନେଇ ଉଦ୍ୟମ ଆରମ୍ଭ ହୋଇଛି ।

ଅନ୍ଯପଟେ ଆସନ୍ତାକାଲି ପୁରୀ ଯିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ କେସିଆର୍‌ । ଦ୍ୱିତୀୟ ଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ଚନ୍ଦ୍ରଶେଖର ରାଓ । ପୁରୀରୁ ଫେରି ସେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ । ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ସହ କାଳୀମନ୍ଦିର ଦର୍ଶନ କରିବେ । ପଶ୍ଚିମବଙ୍ଗରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ କେସିଆର । ବିଏସପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.