ଆଦର୍ଶ କଲୋନୀ ହେବ କେନ୍ଦ୍ରାପଡାର ସାତଭାୟା ବଗପାଟିଆ ଥଇଥାନ କଲୋନୀ, ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ।ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନର ୨୪ ଘଣ୍ଟା ମଧ୍ୟରେ ଏହି ପ୍ୟାକେଜ ମଞ୍ଜୁର ହୋଇଛି ।

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନର ୨୪ ଘଣ୍ଟା ମଧ୍ୟରେ ଏହି ପ୍ୟାକେଜ ମଞ୍ଜୁର ହୋଇଛି । ଫାଇଭ-ଟି ଉପକ୍ରମରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିକାଶ କାମ ଶେଷ ହେବ । ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଚାଷ ଜମି ମଧ୍ୟ ଦିଆଯିବ । ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ ଥଇଥାନ କଲୋନୀ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ଧରି 5T ସଚିବ ଭିକେ ପାଣ୍ଡିଆନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ । ଗସ୍ତର ଦ୍ୱିତୀୟ ଦିନରେ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ଫାଇଭ ଟି ସଚିବ ବିସ୍ଥାପିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ । ପରେ ଭୁବନେଶ୍ଵର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ପାଇଁ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ଲାଇଟ ଆଣ୍ଡ ସାଉଣ୍ଡ ସୋ ବ୍ୟବସ୍ଥା କରାଯାଇ ଏହାକୁ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏସମସ୍ତ କାମ 5T ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.