ବୁଧବାର ଟ୍ରେନରେ ଓଡ଼ିଶା ଆସିବେ କେରଳରେ ଫସିଥିବା ୨୧ ବୁଣାକାର

ଭୁବନେଶ୍ବର (କେନ୍ୟୁଜ୍) : କେରଳ ବନ୍ୟାରେ ରାଜ୍ୟର ୨୧ ଜଣ ବୁଣାକାର ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ୨ ଜଣ ବୁଣାକାର ଅଛନ୍ତି । କେରଳର ଚେଙ୍ଗାଲୁର ମ୍ୟୁନିସିପାଲ ଗ୍ରାଉଣ୍ଡରେ ୧୪ରୁ ୨୪ ତାରିଖ ଯାଏଁ ଆୟୋଜନ ହୋଇଥିଲା କୁଦମ୍ବଶ୍ରୀ ସାରସ-୨୦୧୮ ମେଳା । କେରଳ ଜୀବିକା ମିଶନ ପକ୍ଷରୁ ଆୟୋଜନ ହୋଇଥିଲା ଏହି ବ୍ୟାବସାୟିକ ମେଳା । ଓଡ଼ିଶାର କଟକ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ୨୧ ଜଣ ବୁଣାକାର ଭାଗ ନେଇଥିଲେ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଟିକ୍ରାପଡ଼ା ଗାଁର ନ୍ୟୁ ଲାଇଫ୍ ପ୍ରଡ୍ୟୁସର ଗ୍ରୁପର ଧ୍ରୁବ ମେହେର ଓ ଡୋଳାମଣି ମେହେର ଥିଲେ ।

ଦୁଇ ଭାଇ ସମ୍ବଲପୁରୀ ଓ ପାଟ ଶାଢୀ ଆଦି ୫ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ପ୍ରଦର୍ଶନୀକୁ ଯାଇଥିଲେ । କେରଳରେ ପ୍ରବଳ ବର୍ଷା ହେବାରୁ ଏସବୁ ଜିନିଷ ଷ୍ଟଲରେ ରଖି ଲଜ୍କୁ ପଳାଇଥିଲେ । ହେଲେ ଅତ୍ୟଧିକ ବର୍ଷା ହେବାରୁ ଷ୍ଟଲ ଉପରେ ୧୦ ଫୁଟ ଉଚ୍ଚର ପାଣି ଚାଲୁଛି । ଦୁଇ ଭାଇ କିଛି ଦିନ ରିଲିଫ୍ ସେଣ୍ଟରରେ ରହିବା ପରେ ଏକ ସ୍କୁଲରେ ରହୁଥିବା ସୂଚନା ମିଳିଛି । ଏନେଇ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ସମସ୍ତ ୨୧ ଜଣ ବୁଣାକାରଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ଦିନ ସେମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଅଣାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.