ଏଥର ସରିବ ତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ, ନା ଏମିତି ପଦ୍ମ ଘୁଞ୍ଚି ଘୁଞ୍ଚି ଯିବ ?

ବଲାଙ୍ଗିର (କେନ୍ୟୁଜ୍‌) : ଖୋର୍ଦ୍ଧା- ବଲାଙ୍ଗିର ରେଳ ଲାଇନ ପଶ୍ଚିମ ଓଡିଶାର ଲାଇଫ ଲାଇନ । ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ର ସମ୍ପର୍କକୁ ସୁଦୃଢ କରିବ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ । ଏହି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ଯ ସରକାର ମିଳିତ ପ୍ରୟାସରେ ଆଗେଇ ଆସିଥିଲେ । ଏନେଇ ୨୦୧୫ ମସିହାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦେଶର ପ୍ରଥମ ଘଟଣା ଥିଲା । ହେଲେ ୨୦୨୧ ସୁଦ୍ଧା ଏହି ପ୍ରକଲ୍ପ କାମ ସାରିବାକୁ ଲକ୍ଷ୍ୟ ଥିବା ବେଳେ ତାହା ପୂରଣ ହୋଇ ପାରିଲା ନାହିଁ । ତେଣୁ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି ଆହୁରି ୩ ବର୍ଷ । ଅର୍ଥାତ ୨୦୨୪କୁ । ସୂଚନା ଅଧିକାରରେ ଏସବୁ ତଥ୍ଯ ମିଳିିବା ପରେ ପଣିଥରେ ଚର୍ଚ୍ଚାରେ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ।

କେତେବେଳେ ଉପେକ୍ଷା ତ କେତେବେଳେ ଅପେକ୍ଷା । ତାରି ଭିତରେ ସବୁ ସମୟରେ ଚର୍ଚ୍ଚାରେ ରହି ଆସିଛି ଆମ ରାଜ୍ୟର ଏକ ପ୍ରମୁଖ ରେଳ ପ୍ରକଳ୍ପ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ । ପ୍ରତିଥର ବଜେଟ୍‌ ବେଳକୁ ଏହାକୁ ନେଇ ଆଶା ବଢ଼ିଯାଏ । ହେଲେ ପରେ ପୁଣି ଥମି ଯାଏ । ଉପେକ୍ଷା ଭିତରେ ବି ଅପେକ୍ଷା କରିଛନ୍ତି ପଶ୍ଚିମ ଓଡିଶାବାସୀ । ଗତ ଅଗଷ୍ଟ ମାସରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ଓ ଖୋର୍ଦ୍ଧା ବଲାଙ୍ଗିର ରେଳପଥକୁ ନେଇ ସମୀକ୍ଷା ଏହି ପ୍ରକଳ୍ପକୁ ମହୌଷଧି ଯୋଗାଇ ଥିଲା । ମନ୍ତ୍ରୀ କହିଥିଲେ ଏହି ପ୍ରକଲ୍ପ କାମ ସଂପୂର୍ଣ୍ଣ କରିବା ପାଇଁ ସବୁ ସ୍ତରରେ ସମୀକ୍ଷା ହେବ । ପ୍ରତି କିଲୋମିଟର ଅନୁସାରେ ରେଳପଥ ର ସମସ୍ଯା କଥା ବୁଝାଯିବ । ସେତିବେଳେ କଣ କହିଥିଲେ ମନ୍ତ୍ରୀ ଆସନ୍ତୁ ଶୁଣିବା ।

ଏବେ ଏହି ଖୋର୍ଦ୍ଧା- ବଲାଙ୍ଗିର ରେଳପଥ କାମ ଯେତିକି ଆଗେଇବା କଥା ତାହା ଆଗେଇ ନାହିଁ । ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ମିଳିଥିବା ତଥ୍ଯ କୁ ନେଇ ଏପରି ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ଚୁକ୍ତି ଅନୁସାରେ ୨୦୨୧ ମସିହାରେ ପ୍ରକଲ୍ପ କାମ ସଂପୂର୍ଣ୍ଣ ହେବା କଥା । ଏହା ସହିତ ୫୦ ପ୍ରତିଶତ ଖର୍ଚ୍ଚ ଉଭୟ ସରକାର ବହନ କରିବାକୁ ରାଜି ହୋଇଥିଲେ ବି ଆଜି ପ୍ରକଲ୍ପ କାମ ଆଗେଇ ପାରୁନାହିଁ । ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ଯରେ ଏହି ପ୍ରକଳ୍ପ ପାଇଁ ୧୦୯୦ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଛ ହୋଇ ସାରିଛି । ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଦେଇଥିବା ଜଣା ପଡିଛି । ୨୦୨୧ ବର୍ଷ ରେଲ ବଜେଟରେ ୧ ହଜାର ୫୦ କୋଟି ଟଙ୍କା ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା । ଗତ ୧୦ ବର୍ଷରେ ବଜେଟ ଘୋଷଣାକୁ ଅନୁଧ୍ଯାନ କଲେ ୫ ହଜାର କୋଟି ରୁ ଅଧିକ ରାଷି ଘୋଷଣା କରାଯାଇଛି । ହେଲେ ମାତ୍ର ୧୩ ଶହ ୪୪ କୋଟି ଟଙ୍କା ଖର୍ଚ୍ଛ ହୋଇଛି । ୨୦୨୧ ମସିହାରେ ପ୍ରକଲ୍ପ କାମ ସଂପୂର୍ଣ୍ଣ କରିବାକୁ କୁହାଯାଇଥିଲା । ହେଲେ ଏବେ ଏହା ଘୁଞ୍ଚି ଯାଇଛି ୨୦୨୪କୁ ।

railwayଏହି ରେଳପଥର ଦୈର୍ଘ୍ୟ ହେଉଛି ୨୮୯ କିଲୋମିଟର । ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ଏହି ରେଳପଥ । ଏବେ ବଲାଙ୍ଗିରରୁ ବିଛୁପାଲି ପର୍ଯ୍ୟନ୍ତ କାମ ଶେଷ ହୋଇ ରେଳ ଚଳାଚଳ କରୁଛି । ସେହିପରି ଆର ପଟେ ଖୋର୍ଦ୍ଧାରୁ ନୟାଗଡ ମହିପୁର ପର୍ଯ୍ୟନ୍ତ ରେଳ ଗଡୁଛି । କରୋନା ପରେ ବଲାଙ୍ଗିରରୁ ବିଛୁପାଲି ରେଳ ଚଳାଚଳକୁ ବନ୍ଦ କରି ଦିଆ ଯାଇଛି । ଏହି ରେଳପଥ ନିର୍ମାଣ ପାଇଁ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ସରିଛି । ଆଉ ୩୦ କିଲୋମିଟର ରେଳପଥର ନିର୍ମାଣ କାମ ଚାଲିଛି । ସୋନପୁର ଜିଲ୍ଲାର ୩୦ଟି ଗାଁରେ ୫୪୨ ଏକର ଜମି ଅଧିଗ୍ରହଣ କରି ରେଳ ବିଭାଗକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର । ସେହିପରି ବୌଦ୍ଧ ଜିଲ୍ଲାରେ ବି ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ପାଇଁ ଜମି ଅଧିଗ୍ରହଣ ଚାଲିଛି । ଏହି ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବ । ୯୮ଟି ଗାଁ ଲୋକ ପ୍ରଭାବିତ ହେବେ । ଏହି ରେଳପଥ ନିର୍ମାଣ ପାଇଁ ୬୮ କିଲୋମିଟର ଷ୍ଟେଜ-୧ ଜଙ୍ଗଲ ଜମି ଅନୁମତି ମିଳିପାରି ନାହିଁ ।

ଏହି ରେଳପଥ ନିର୍ମାଣ ହେଲେ ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶାର ସମ୍ପର୍କ ମଜଭୁତ ହେବ । ପଶ୍ଚିମ ଓଡିଶାର ବିକାଶ ହେବ । ଏଥିପାଇଁ ଏହି ପ୍ରକଲ୍ପ କାମ ଶୀଘ୍ର ସାରିବାକୁ ଦାବି ହେଉଛି । ୧୯୯୪-୯୫ରେ ମଞ୍ଜୁରୀ ପାଇଥିବା ଏହି ପ୍ରକଲ୍ପ କାମ ରେ ଦୀର୍ଘ ୨୭ ବର୍ଷ ପରେ ଏପରି ଅବସ୍ଥା ରେ ରହିବା ଏହି ପ୍ରକଲ୍ପ ପ୍ରତି ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରକଲ୍ପ କାମ ସରିଲେ ବଲାଙ୍ଗିରରୁ ଖୋର୍ଦ୍ଧା ରେଳ ଚଳାଚଳ କଲେ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶା ଉନ୍ନତି ହେବ । ଏବେ ପ୍ରକଲ୍ପର ସ୍ଥିତିକୁ ନେଇ ଉଭୟ ସରାକାରଙ୍କ ଦୋଷ ରହିଛି ବୋଲି କହିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।

କେଜାଣି କାହିଁକି ଏହି ରେଳପଥ ଉପରେ ଯେମିତି କିଛି ଅଭିଶାପ ରହିଛି ? ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ହେଲେ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ । ଅବଶ୍ୟ କିଛି ସମସ୍ୟା ରହିଛି ଯାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିଁ ଦୂର କରି ପାରିବେ । କାରଣ ପ୍ରକଳ୍ପ କାମରେ ଏତେ ମନ୍ଥରତା ଯେମିତି ହୁଏତ ଆଉ କୌଣସି ଠାରେ ଦେଖିବାକୁ ମିଳିନି । ତଥାପି ଆଶା କରିବା ଏଥର ଧାର୍ଯ୍ୟ ସମୟରେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ।

ରିପୋର୍ଟ : ଚିତ୍ତ ରଞ୍ଜନ ମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.