କିଟ୍‌ରେ ଚଳିତ ବର୍ଷ ରେକର୍ଡ ପ୍ଲେସମେଣ୍ଟ: ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି

ଭୁବନେଶ୍ବର(କେନ୍ୟୁଜ୍):  କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସ୍‌ମେଣ୍ଟ ହୋଇପାରିଛି। କିଟ୍‌ରେ ୨୦୨୨ ପାସ୍‌ ଆଉଟ ବ୍ୟାଚ୍‌ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା ପ୍ଲେସମେଣ୍ଟ। ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‌ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଁ ଆସିଥିଲେ । ୪୨ଶହରୁ ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଶହ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି।

 ୧୫ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ଲକ୍ଷ ଟଙ୍କା ପ୍ୟାକେଜରେ ବିଭିନ୍ନ ଡ୍ରିମ୍‌ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି। ସେହିପରି ୩୫ରୁ ଅଧିକ କମ୍ପାନୀ କିଟ୍‌ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ଲକ୍ଷ ଟଙ୍କା ବା ତାଠାରୁ ଅଧିକ ପ୍ୟାକେଜରେ ନିଯୁକ୍ତି ସୁଯୋଗ ଦେଇଛନ୍ତି। ୧୩୦ରୁ ଉର୍ଦ୍ଧ୍ୱ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ଦେଇଛନ୍ତି। ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜରେ କିଟ୍‌ର ୫ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ ୬.୦୫ ଲକ୍ଷ ଟଙ୍କା ରହିଥିବା ବେଳେ ଏହା ଗତ ବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି।

 କିଟ୍‌ ବିଶ୍ୱବିଦ୍ୟାଳୟ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବହୁରାଷ୍ଟ୍ରୀୟ କମ୍ପାନୀ ସହ ସମନ୍ଵୟ ରକ୍ଷା କରି ଆସିଛି। ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍‌ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରି ପ୍ରତିବର୍ଷ ୨ ହଜାରରୁ ଅଧିକ ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ମେଧାବୃତ୍ତିରେ ବାର୍ଷିକ ତାଲିମ୍‌ ପ୍ରଦାନ କରିଆସୁଛି। ଏହି ତାଲିମ ଅତି ଉଚ୍ଚମାନର ହୋଇଥିବାରୁ କିଟ୍‌ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି। ଏହା ଛଡ଼ା ହାଇରେଡିଅସ୍‌ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍‌ରେ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮ ଶହରୁ ୧ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି।

କିଟ୍‌ ପ୍ରତିଷ୍ଠା ହେବାଠାରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପ୍ଲେସମେଣ୍ଟ ରହିଆସିଛି। ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ଅତି ସଫଳତାର ସହ ହୋଇଆସୁଛି। ଇତି ମଧ୍ୟରେ ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ତାଲିମ୍‌ ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ବେଶ ପରିଚିତି ଲାଭ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି।

କରୋନା ମହାମାରୀ ସତ୍ତ୍ୱେ ୨୦୨୦ରେ କିଟ୍‌ ବିଶ୍ୱବିଦ୍ୟାଳୟର ବିଟେକ୍‌, ଏମ୍‌ବିଏ, ବାୟୋଟେକରେ ଶତ ପ୍ରତିଶତ ପ୍ଲେସମେଣ୍ଟ ହୋଇଥିବା ବେଳେ ଲ’ରେ ୫୦ ପ୍ରତିଶତରୁ ଅଧିକ ପ୍ଲେସମେଣ୍ଟ ହୋଇଥିଲା। ୨୦୨୧ରେ ମଧ୍ୟ କିଟ୍‌ ବିଶ୍ୱବିଦ୍ୟାଳୟରେ ରେକର୍ଡ ପ୍ଲେସମେଣ୍ଟ ହୋଇଥିଲା। ୨୦୨୨ ପାସ୍‌ଆଉଟ୍‌ ବ୍ୟାଚ୍‌ ପାଇଁ ଗତବର୍ଷ ମେ ମାସରୁ କ୍ୟାମ୍ପସ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।