କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘କିସ୍’ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍):ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର। ଆଜି କିସ୍‌ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‌କୁ  ମିଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‌କୁ ମିଳିବ ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର- ୨୦୨୨। ଆଜି ଆଫିକ୍ରାର ଆଇଭୋରୀ କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ହୋଇଛି ପୁରସ୍କାର ବିତରଣ ଉତ୍ସବ।   କିସ୍‌ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ବାବଦରେ କିସ୍‌କୁ ୨୦ ହଜାର ଆମେରିକୀୟ ଡଲାର, ମେଡାଲ୍‌ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‌ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ଓ ତୃତୀୟ ଏନ୍‌ଜିଓ। ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ।

ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ। ଡ. ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ। ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‌ ହେଉଛି ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ। କିସ୍‌ରେ ଅଧ୍ୟୟନରତ ୩୦ହଜାର ଜନଜାତି ଛାତ୍ରଛାତ୍ରୀ ଓ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦେଉଛି। ୧୯୯୩ ମସିହାରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନରେ ପରଣିତ ହୋଇଛି। ୨୦୧୫ ମସିହାରୁ କିସ୍‌ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେସିଆଲ୍‌ କନ୍‌ସଲେଟିଭର ମାନ୍ୟତା ପାଇଛି। ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍‌ର ସହବନ୍ଧନ ରହିଆସିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.