ଦୁର୍ଘଟଣାରେ ଅକର୍ମଣ୍ୟ ହୋଇପଡ଼ିଥିବା ଅକ୍ଷୟଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ୍‌

 ଭଦ୍ରକ (କେନ୍ୟୁଜ୍): ଦୁର୍ଘଟଣାରେ ଅକର୍ମଣ୍ୟ ହୋଇପଡ଼ିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ଅକ୍ଷୟ ଜେନାଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ୍‌ । ଦୀର୍ଘ ୮ ବର୍ଷ ତଳେ ଲୁହା କାମ କରୁଥିବା ସମୟରେ ହଠାତ୍‌ ଉପରେ ଗ୍ରିଲ୍‌ ପଡ଼ିଯିବାରୁ ତାଙ୍କ ମେରୁଦଣ୍ଡ ଭାଙ୍ଗିଯିବା ସହ ଗୁରୁତର ସ୍ନାୟବିକ ସମସ୍ୟା ଦେଖାଦେଇଥିଲା । ଦୀର୍ଘ ଦିନ ଧରି ଶଯ୍ୟାରେ ପଡ଼ି ରହିବା ଯୋଗୁଁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇଯାଇଥିଲା । ଏମିତିକି ଔଷଧ କିଣିବା ପାଇଁ ମଧ୍ୟ ପାଖରେ ଅର୍ଥ ନ ଥିଲା ।

ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ନିର୍ଭର କରି ରହିଥିବା ପରିବାର ବହୁ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିଲା । ଏହି ଖବର କଳିଙ୍ଗ ଟିଭି ଓ କେନ୍ୟୁଜ୍ ରେ ପ୍ରସାରଣ ହେବା ପରେ କିସ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା । ଏହାପରେ ତୁରନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ଅକ୍ଷୟଙ୍କ ସହ ଯୋଗାଯୋଗ କରିଥିଲେ ଡ. ସାମନ୍ତ । ଏହାସହ ତାଙ୍କୁ ତୁରନ୍ତ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ପରିବାର ପ୍ରତିପୋଷଣ ପାଇଁ ଅକ୍ଷୟଙ୍କୁ ମାସିକ ୩ ହଜାର ଲେଖାଏଁ ପ୍ରଦାନ କରିବା ଲାଗି ଡ. ସାମନ୍ତ କିସ୍‌ ଫାଉଣ୍ଡେସନ୍‌ ପରାମର୍ଶ ଦେଇଥିଲେ । ଦୁର୍ଦ୍ଦିନରେ କିସ୍‌ ଫାଉଣ୍ଡେସନ୍‌ର ସହାୟତାକୁ ଅକ୍ଷୟ, ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.