ଦିନକ ପରେ ମେଗା ଅଭିଭାବକ ସମ୍ମିଳନୀ, ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠିଛି କିସ୍ ପରିସର
ଭୁବନେଶ୍ବର(କେନ୍ୟୁଜ୍): ଦିନକ ପରେ କିସ୍ ମେଗା ଅଭିଭାବକ ସମ୍ମିଳନୀ । ଏଥିପାଇଁ କିସ୍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ପରି ଚଳିତବର୍ଷ ଆସନ୍ତା କାଲି ମହା ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମଗ୍ର ରାଜ୍ୟର ପ୍ରାୟ ଏକ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଉଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।
ଆଜି ଦିନ ତମାମ ଶ୍ରୀ ସାମନ୍ତ ଅଭିଭାବକଙ୍କ ଆସିବା, ରହିବା ଓ ଖାଇବା ଆଦି ବିଷୟରେ କିସ୍ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ବୈଠକ କରିବା ସହ ସମସ୍ତ ସ୍ଥାନ ବୁଲି ଦେଖିଥିଲେ । ଏହି ମହା ଅଭିଭାବକ ସମ୍ମିଳନୀରେ ଓଡିଶାର ୩୦ଜିଲ୍ଲାରୁ କିସ୍ର ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ୬୦ହଜାର ବାପା-ମାଆ,୧୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗଦେବେ । ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସ୍ରେ ୧ ଲକ୍ଷ ଆଦିବାସୀଙ୍କ ସମାଗମ ହେବ । ସେଥିପାଇଁ ଆଜିଠାରୁ ଦୂରଦୂରାନ୍ତରୁ ଅଭିଭାବକମାନେ କିସ୍ରେ ପହଞ୍ଚିବାରେ ଲାଗିଛନ୍ତି । ସେମାନଙ୍କ ରହିବା ଓ ଖାଇବା ପାଇଁ କିସ୍ରେ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ଆସନ୍ତା କାଲି ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଲାଗି ରହିବ । ସେମାନଙ୍କର ସକାଳ ଜଳଖିଆଠାରୁ ଆରମ୍ଭ କରି ଖାଇବା ପିଇବା, ସଭା ସମିତି, ସାଂସ୍କୃୃତିକ କାର୍ଯ୍ୟକ୍ରମ ଆଦି ସବୁକିଛି କିସ୍ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଏହି ମହା ଅଭିଭାବକ ସମ୍ମିଳନୀରେ ଜନଜାତି ବାପା-ମାଆମାନଙ୍କୁ ସେମାନଙ୍କ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିବା ସହ ବିଭିନ୍ନ ଜନଜାତିର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । କରୋନା ପାଇଁ ଦୁଇବର୍ଷ ଧରି ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ରେ ହେଉଥିଲା । ଦୁଇବର୍ଷ ପରେ ଏ ବର୍ଷ ଏହି କାର୍ଯ୍ୟକ୍ରମ ପୁଣି ଆୟୋଜନ ହେଉଥିବାରୁ ଜନଜାତି ଅଭିଭାବକ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି ।