Below header

ସରକାରୀ ବିଦେଶୀ ମଦ ଦୋକାନରେ ନକଲି ମଦ! ଲକ୍ଷାଧିକ ଟଙ୍କାର ମଦ ଜବତ ସହ ଦୋକାନ ସିଲ୍

ଯାଜପୁର (କେନ୍ୟୁଜ): ସରକାରୀ ବିଦେଶୀ ମଦ ଦୋକାନରେ ପ୍ରସ୍ତୁତ ହେଉଥିଲା ନକଲି ମଦ। କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମଦ ଜବତ ସହ ଦୋକାନ ସିଲ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ତାଳୁଆ ବାଲିକୁଦା ବଜାରରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ କରିଛି କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାର୍ଡ।

ଗତକାଲି ରାତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଏହି ସମୟରେ ନକଲି ମଦ ତିଆରି ହେଉଥିବା ବେଳେ ଏଥିରେ ବ୍ୟବହୃତ ନାମିଦାମୀ ବ୍ରାଣ୍ଡର ଖାଲି ବୋତଲ, ଠିପି, ଲେବଲ, କେମିକାଲ, ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଥିଲା। ଏଥିସହ ମଦ ଦୋକାନକୁ ସିଲ କରାଯାଇଥିଲା। ଜବତ ହୋଇଥିବା ନକଲି ମଦର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ୮ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଥିଲେ।। ଚଢାଉ ସମୟରେ ସମ୍ପୃକ୍ତ ମଦ ଦୋକାନୀ ଫେରାର ହୋଇଯାଇଥିବା ବେଳେ ୪ଜଣ କର୍ମଚାରୀ ଅଟକ ଥିବା ସୂଚନା ମିଳିଛି। ତେବେ ଏଠାରେ ଦୀର୍ଘ ଦିନ ଧରି ନକଲି ମଦ ପ୍ରସ୍ତୁତ କରାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରାଯିବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.