ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ବି ଶୁଣିଲେନି ଘର ମାଲିକ, ରାତି ଅଧରେ ୨ ନର୍ସଙ୍କୁ ତଡ଼ିଦେଲେ

କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇସାରିଲାଣି। ପ୍ରତିଦିନ ଏହି ମାରାତ୍ମକ ଭାଇରସ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମାତ୍ର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତର ଓ ନର୍ସମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି। କିନ୍ତୁ ଏବେ ବି କିଛି ଲୋକ ଡାକ୍ତର ଓ ନର୍ସଙ୍କୁ ସେମାନଙ୍କ କାମ ପାଇଁ ସମ୍ମାନ ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରୁଥିବା ଦେଖାଯାଇଛି। ଏଭଳି ଘଟଣା ଆଉ କୋଉଠି ନୁହେଁ ଆମ ରାଜ୍ୟ ଓଡ଼ିଶାରେ ଘଟିଛି।

Stressed-nurse

ରିପୋର୍ଟ ମୁତାବକ ଭୁବନେଶ୍ୱରର ଏକ ହସ୍ପିଟାଲରେ କାମ କରୁଥିବା ୨ ଜଣ ନର୍ସଙ୍କୁ ଘରମାଲିକ ଘରୁ ତଡିଦେଇଥିବା ଜଣାଯାଇଛି। ମହିଳା ନର୍ସ ଦ୍ବୟ ଏକ ପ୍ରାଇଭେଟ ମେଡିକାଲରେ କାମ କରୁଥିବାରୁ କରୋନା ସଂକ୍ରମଣ ହେବା ଭୟରେ ଘର ମାଲିକ ତାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ଫଳରେ କିଛି ବାଟ ନ ପାଇ ନର୍ସ ଦୁଇଜଣ ଆଉ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି।

ଏନେଇ ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ କୋଭିଡ-୧୯ର ପ୍ରବକ୍ତା ସୁବ୍ରତୋ ବାଗଚି ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ କରୋନା ଯୋଗୁ ଲୋକମାନେ ଲକଡାଉନ ଅଛନ୍ତି, ଦୟା କରି ମାନବତାକୁ ଲକଡାଉନ କରନ୍ତୁ ନାହିଁ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ଦିନ ତଳେ ଘରମାଲିକଙ୍କୁ ୩ ମାସର ଭଡ଼ା ଛାଡ଼ କରିବାକୁ କିମ୍ବା ପଛରେ ମାଗିବାକୁ ଅନୁରୋଧ କରିଥିଲେ।

ପ୍ରକାଶ ଯେ, ଓଡ଼ିଶାରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ମଙ୍ଗଳବାର ଦିନ ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ଘଟିଛି। ଏବେ ରାଜ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.