ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ତଥା ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କିମ୍ବଦନ୍ତି ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ । ଗତକାଲି ରାତି ପ୍ରାୟ ୧୧ଟା ୧୦ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଭୀମଟାଙ୍ଗି ସ୍ଥିତ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ପୁଅ ଓ ବୋହୁ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ ମହାପାତ୍ର ଓ ସୁଜାତା ମହାପାତ୍ର ଉପସ୍ଥିତ ଥିଲେ ।

୧୯୪୭ ମସିହାରେ ପୁରୀର ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ଜଣେ ମହିଳା ନୃତ୍ୟଶିଳ୍ପୀ ଭାବେ ପ୍ରଥମେ ଗୋଟି ପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ । ତାଙ୍କୁ ଓଡ଼ିଶାର ମଞ୍ଚରେ ପ୍ରଦର୍ଶନ କରିଥିବା ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ବୋଲି କୁହାଯାଏ । ୧୯୪୭ ମସିହାରେ ସେ କେଳୁଚରଣ ମହାପାତ୍ରଙ୍କୁ ବିବାହ କରିଥିଲେ । ଦୁହେଁ ନୃତ୍ୟରେ ଦଶାବତାର ପରିବେଷଣ କରି ଇତିହାସ ପୃଷ୍ଠାରେ ଓଡ଼ିଶୀ ନୃତ୍ୟର ମୂଳଦୁଆ ସ୍ଥାପନ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯିବ।

ରାଜ୍ୟ ସମ୍ମାନ ସହ ହେବ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶେଷକୃତ୍ୟ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶୀକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.