Below header

ଜନପ୍ରିୟ ବିଡିଓଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପରିବେଶ ହେଲା ଭାବବିହ୍ଵଳ, କାନ୍ଦିଲେ ବ୍ଲକ କର୍ମଚାରୀଙ୍କ ସହ ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକେ

ଯାଜପୁର(କେନ୍ୟୁଜ୍): ବିଡ଼ିଓଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବବିହ୍ଵଳ। ବିଦାୟ ଦେବା ବେଳେ ବିଡ଼ିଓଙ୍କ ସମେତ ସମସ୍ତଙ୍କ ଆଖିରେ ଲୁହ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ। ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡାଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟ ଦେବାବେଳେ ଉପସ୍ଥିତ ବ୍ଲକ କର୍ମଚାରୀ, ଲୋକ ପ୍ରତିନିଧି, ଜନସାଧାରଣଙ୍କ ସହ ଖୋଦ ବିଡ଼ିଓ କାନ୍ଦୁଥିବାର ଦୃଶ୍ୟ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା।

ସୂଚନା ମୁତାବକ ଉମାକାନ୍ତ ପରିଡ଼ା ରସୁଲପୁର ବିଡ଼ିଓ ଭାବେ ୩ ବର୍ଷ ୮ ମାସ ଧରି କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକକୁ ବଦଳି ହୋଇଛି। ତେଣୁ ଆଜି ରସୁଲପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଅବନିକାନ୍ତ ସାହୁ ଯୋଗଦେବା ପରେ ଶ୍ରୀ ପରିଡ଼ା ତାଙ୍କୁ କାର୍ଯ୍ୟଭାର ଦେଇ ବ୍ଲକରୁ ବିଦାୟ ନେଇଥିଲେ। ତେବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଓ ଜନପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡ଼ ଜମାଇଥିଲେ। ପୂର୍ବତନ ବିଡ଼ିଓ ଉମାକାନ୍ତ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତେ ସମ୍ବର୍ଦ୍ଧିତ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ବ୍ଲକ ପରିସରରେ ବୁଲାଇଥିଲେ। ପରେ ବିଡ଼ିଓ ଯିବା ସମୟରେ ସମସ୍ତେ ଭାବବିହ୍ଵଳ ହୋଇପଡ଼ିଥିଲେ।

jajapur2

ବିଡ଼ିଓଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ ସମସ୍ତେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଶ୍ରୀ ପରିଡାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଶୁଭେଚ୍ଛୁ ମାନେ ଯାଜପୁରରୋଡ଼ ସ୍ଥିତ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ତେବେ ଉମାକାନ୍ତ ପରିଡ଼ା ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ଥିଲେ ବୋଲି ସମସ୍ତେ କହିଛନ୍ତି। କେବଳ ସେତିକି ନୁହେଁ ଜଣେ ପ୍ରକୃତିପ୍ରେମୀ ମଣିଷ ଭାବେ ସେ ବ୍ଲକ କାର୍ଯ୍ୟାଳୟ ପରିସର ସମେତ ୨୮ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାର୍କ ଓ ବ୍ୟାପକ ବୃକ୍ଷରୋପଣ ସୃଷ୍ଟି କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏଣୁ ତାଙ୍କୁ ବିଦାୟ ଦେବା ସମୟରେ ବିଡ଼ିଓ ହେବ ତ ଉମାକାନ୍ତ ପରିଡ଼ାଙ୍କ ଭଳି ବିଡ଼ିଓ ହେବା ଦରକାର ବୋଲି ସମସ୍ତଙ୍କ ମୁହଁରେ ଏହି ଗୋଟିଏ କଥା ଆପେ ଆପେ ବାହାରି ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.