ଏଠି ସାମାନ୍ୟତମ ମୌଳିକ ସୁବିଧାରୁ ବଞ୍ଚିତ ଲୋଧା ସମ୍ପ୍ରଦାୟର ଆଦିମ ଜନଜାତି, ପାଣି ଟିକକ ପାଇଁ ହେଉଛନ୍ତି ଡହଳ ବିକଳ

ବାରିପଦା(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ଆଦିମ ଜନଜାତି ଲୋଧା ସମ୍ପ୍ରଦାୟକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । କାର୍ଯ୍ୟ କରୁଛି ସ୍ୱତନ୍ତ୍ର ଭାବେ ଲୋଧା ଉନ୍ୱୟନ ସଂସ୍ଥା । ହେଲେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ । ସାମାନ୍ୟତମ ମୌଳିକ ସୁବିଧା ସୁଯୋଗ ମଧ୍ୟ ସାତ ସପନ ଏହି ଆଦିମ ଜନଜାତି ଲୋକ ମାନଙ୍କ ପାଇଁ । ନା ଅଛି ବିଜୁଳି ନା ମିଳୁଛି ଆବାସ ଘର । ପାଣି ଟିକକ ପାଇଁ ଡହଳ ବିକଳ ଲୋକେ ଏଠି ।

ଅଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ୧୨ ପ୍ରକାରର ଆଦିବାସୀ ବସବାସ କରିଥାନ୍ତି । ସେ ମଧ୍ୟରୁ ଅଦିମ ଜନଜାତି ଲୋଧା ସମ୍ପ୍ରଦାୟ ଅନ୍ୟତମ । ପୂର୍ବରୁ ଚୋରୀ ଡକାୟତି କରି ପରିବାର ପ୍ରତିପୋଷଣ କରୁଥିଲେ ଏହି ସମ୍ପ୍ରଦାୟର ଲୋକେ । କାଳକ୍ରମେ ସରକାର ଯୋଜନା ପ୍ରସ୍ତୁତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ସ୍ଥିର କରିଥିଲେ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଲୋଧା ଉନ୍ନୟନ ସଂସ୍ଥା ମଧ୍ୟ ଗଠନ ହୋଇ କାର୍ଯ୍ୟ ଆରମ୍ଭ କରିଥିଲା । ଶୁଳିଆପଦା ବ୍ଳକ ପଥରନେଶା ଗାଁରେ ଏହି ଲୋଧା ସମ୍ପ୍ରଦାୟ ମାନେ ରହି ଆସୁଛନ୍ତି । ତେବେ ଆମେ ଏଠି କହୁଛୁ ସେହି ଗ୍ରମାର ୪ ନମ୍ବର ୱାର୍ଡ କଥା। ଏଠି ବସବାସ କରନ୍ତି ୨୫୦ ଲୋଧା ସମ୍ପ୍ରଦାୟର ପରିବାର । ବର୍ଷକୁ ଏହି ସମ୍ପ୍ରଦାୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବାସ୍ତବ ସ୍ଥିତି ଦେଖିଲେ ଏହି ଆଦିମ ଜନଜାତିଙ୍କ ଅସହାୟତା ବାରି ହୋଇ ପଡେ । ଅଛି ପାଣି ଟାଙ୍କି ଅଛି ଟ୍ୟୁୱେଲ୍ ହେଲେ ବର୍ଷ ବର୍ଷ ଧରି ଅକାମୀ । ଅଛି ପୋଖରୀ ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଖରୀକୁ ପୁନଃଉଦ୍ଧାର କରି ବ୍ୟବହାର ଉପଯୋଗୀ କରିପାରୁନାହିଁ ପ୍ରଶାସନ ।

କେବଳ ଏତିକିରେ ସରିନି ଏହି ପରିବାର ମାନଙ୍କ ଦୁଃଖ । ଘର ଖଣ୍ଡିକ ପାଇଁ ବାରଦ୍ୱାର ହେବାକୁ ପଡୁଛି । ଆଜି ମଧ୍ୟ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ଏଠି । ପ୍ରାଥମିକ ବିଦ୍ୟାଳୟ ଟେ ଖୋଲିଛି ହେଲେ ବିଦ୍ୟାଳୟ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇ ପାରୁନାହିଁ । ବିଦ୍ୟାଳୟରେ ପାଣି ଟାଙ୍କି ମଧ୍ୟ ଅଚଳ । ଫଳରେ ପିଇବା ପାଣି ତ ଦୂର କଥା ମଧ୍ୟାନ୍ନ ଭୋଜନ ପାଇଁ ପାଣି ବୋହି ଆଣିବାକୁ ପଡେ ଏଠି । ଏହିଭଳି ଲୋଧା ସମ୍ପଦାୟର ଉନ୍ନତି ପାଇଁ ଜିଲ୍ଲାରେ କାର୍ଯ୍ୟ କରୁଛି ଲୋଧା ଉନ୍ନୟନ ସଂସ୍ଥା ।

ମାତ୍ର ଏଭଳି ଅବହେଳିତ ଗାଁକୁ ଦେଖିଲେ ସଂସ୍ଥାର କାର୍ଯ୍ୟକାରିତାକୁ ନେଇ ଉଠେ ପ୍ରଶ୍ନ । ଏହି ଗାଁର ଆଦିମ ଜନଜାତୀ ମାନଙ୍କ ସମସ୍ୟା ନେଇ ବିଧାୟକ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ତେବେ ଯେଉଁ ସବୁ ସମସ୍ୟା ରହିଛି ତାହାକୁ ଶିଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଲୋଧା ଉନ୍ନୟନ ଅଧିକାରୀ । ଏବେ ଦେଖିବାକୁ ବାକି ରହିଲା ଆଉ କେତେ ଦିନ ସାମାନ୍ୟତମ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଏହି ଆଦିମ ଜନଜାତୀ ସମ୍ପ୍ରଦାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.