କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନୈଲଙ୍କର ବାହାଘର; ରାଜସ୍ଥାନର ୫୦୦ ବର୍ଷ ପୁରୁଣା ଦୁର୍ଗରେ ନେବେ ସାତଫେରା

ଫେବୃଆରୀ ୯ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନୈଲଙ୍କର ବାହାଘର। ଅର୍ଜୁନ ଭଲ୍ଲାଙ୍କ ହାତ ଧରିବାକୁ ଯାଉଛନ୍ତି ଶନୈଲ। ରାଜସ୍ଥାନର ୫୦୦ ବର୍ଷ ପୁରୁଣା ଦୁର୍ଗରେ ପଡ଼ିବ ହାତଗଣ୍ଠି।

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଗତ ମାସରେ ଆଥିଆ ସେଟ୍ଟୀ, କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ଆଉ ଗତକାଲି ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନସାଥୀ ହୋଇଛନ୍ତି। ଏହାରି ଭିତରେ ଏବେ କେନ୍ଦ୍ର ମନ୍ତ୍ରୀ ତଥା ଅଭିନେତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନୈଲ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଗତ କିଛି ବର୍ଷ ଧରି ରାଜସ୍ଥାନ ସେଲିବ୍ରିଟିମାନଙ୍କ ପାଇଁ ବିବାହର ପ୍ରଥମ ପସନ୍ଦ ପାଲଟିଛି। ୨୦୧୮ରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ମଧ୍ୟ ଯୋଧପୁରର ଉମ୍ମେଦ୍‌ ଭବନ ପ୍ୟାଲେସରେ ବିବାହ କରିଥିଲେ। ଏବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବି ନାଗୌର ଜିଲ୍ଲାର ଖିଂଭସର ଦୁର୍ଗରେ ନିଜ ଝିଅ ବାହାଘର କରୁଛନ୍ତି। ସ୍ମୃତି ଇରାନୀ ଏହି ଫୋର୍ଟକୁ ୭ ଫେବୃଆରୀରୁ ୯ ଫେବୃଆରୀ ପର୍ଯ୍ୟନ୍ତ ବୁକ୍ କରିଛନ୍ତି। ଖାସ୍‌ କଥା ହେଉଛି ଯେ ଏହି ଫୋର୍ଟରେ ହିଁ ଅର୍ଜୁନ, ଶନୈଲଙ୍କୁ ପ୍ରପୋଜ୍‌ କରିଥିଲେ।

ଖିଂଭସର ଦୁର୍ଗରେ ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଆଜି ୮ ଫେବୃଆରୀରେ ମେହେନ୍ଦୀ ଏବଂ ହଲ୍‌ଦୀ ଉତ୍ସବ ପରେ ରାତିରେ ମ୍ୟୁଜିକାଲ୍ ନାଇଟ୍ ଇଭେଣ୍ଟ ଆୟୋଜନ ହେବ। ପରଦିନ ଅର୍ଥାତ୍‌ ୯ ଫେବୃଆରୀ ଗୁରୁବାର ବିବାହ ଅନୁଷ୍ଠିତ ହେବ।

ଶନୈଲ ଇରାନୀ ୨୦୨୧ ମସିହାରେ ଅର୍ଜୁନ ଭଲ୍ଲାଙ୍କ ସହ ନିର୍ବନ୍ଧ କରିଥିଲେ। ବୁଧବାର ସକାଳେ ସ୍ମୃତି ଇରାନୀ ଖିଂଭସର ଦୁର୍ଗରେ ପହଞ୍ଚିଛନ୍ତି। କହି ରଖୁଛୁ, ଶନୈଲ ଜୁବିନ୍ ଇରାନୀଙ୍କ ପ୍ରଥମ ପତ୍ନୀ ମୋନା ଇରାନୀଙ୍କ ଝିଅ। ଏଥିସହ ସ୍ମୃତି ଓ ଜୁବିନ୍‌ଙ୍କର ମଧ୍ୟ ଦୁଇ ସନ୍ତାନ ଅଛନ୍ତି।