Below header

ଉତ୍ତର ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଲା ଲଘୁଚାପ, ୭ ଜିଲ୍ଲାରେ ବର୍ଷିବ ପ୍ରବଳ

ଭୁବନେଶ୍ୱର(କେନ୍ୟୁଜ୍‌) : ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ତେଣୁ ଆସନ୍ତାକାଲି ସକାଳ ଯାଏ ସାତୋଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁନ ୧ରୁ ଅଗଷ୍ଟ ୪ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୬ ପ୍ରତିଶତ କମ୍ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୧୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ଓ ବାକି ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ସମ୍ବଲପୁର ପାଇଁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଏଥର ଶ୍ରାବଣରେ ଆଶାନୁରୂପ ବର୍ଷା ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜୁନ ୧ରୁ ଅଗଷ୍ଟ ୪ ମଧ୍ୟରେ ରାଜ୍ୟରେ ୫୧୨.୫ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକଠାରୁ ୧୬ ପ୍ରତିଶତ କମ୍ । ଏହି ସମୟ ମଧ୍ୟରେ ୧୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ାରେ ୪୭ ପ୍ରତିଶତ କମ ବର୍ଷା, ଯାଜପୁରରେ ୪୬ ପ୍ରତିଶତ, ଖୋର୍ଦ୍ଧାରେ ୪୧ ପ୍ରତିଶତ, ପୁରୀରେ ୪୦ ପ୍ରତିଶତ, କଟକରେ ୩୯ ପ୍ରତିଶତ, ବାଲେଶ୍ୱର ଜିଲ୍ଲାରେ ୩୭ ପ୍ରତିଶତ କମ୍ ବର୍ଷା ହୋଇଛି ।

ସେହିପରି ସୋନପୁରରେ ୩୫ ପ୍ରତିଶତ, ଜଗତସିଂହପୁରରେ ୩୪ ପ୍ରତିଶତ, ନୟାଗଡ ୨୬ ପ୍ରତିଶତ, ମୟୂରଭଞ୍ଜ ୨୫ ପ୍ରତିଶତ, ଭଦ୍ରକ ୨୩ ପ୍ରତିଶତ, ବଲାଙ୍ଗୀରରେ ୨୧ ପ୍ରତିଶତ ଏବଂ କେନ୍ଦୁଝରରେ ୨୦ ପ୍ରତିଶତ କମ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଜୁନ ୧ରୁ ୪ ଅଗଷ୍ଟ ମଧ୍ୟରେ ରାଜ୍ୟର ଅବଶିଷ୍ଟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.