ଧୋକା ଦେଲା ମୌସୁମୀ, ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ୍‌ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ୧୬୭ ବ୍ଲକରେ ନିଅଣ୍ଟିଆ ବର୍ଷା। ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟି, ୬୩ଟି ବ୍ଲକରେ ଅତ୍ୟଧିକ ସ୍ୱଳ୍ପ ବୃଷ୍ଟି ଓ ୬ଟି ବ୍ଲକରେ ଅନାବୃଷ୍ଟି ସ୍ଥିତି। ଅନାବୃଷ୍ଟି ବ୍ଲକ ଗୁଡିକ ହେଲା ଢେଙ୍କାନାଳର ଓଡ଼ପଡ଼ା, କେନ୍ଦୁଝରର ଯୋଡ଼ା ଓ ବାଂଶପାଳ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ସବ୍‌ଡେଗା ଓ ନୂଆଗାଁ। ଏହି ବ୍ଲକଗୁଡିକରେ ୬୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। ନୂଆଗାଁରେ ତ ପ୍ରାୟ ୭୦ ପ୍ରତିଶତ କମବର୍ଷା ହୋଇଛି। ୩୨ଟି ବ୍ଲକରେ ଅତ୍ୟଧିକ ଓ ୧୧୫ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଛି।

ଜିଲ୍ଲା ସାରା ଦେଖିଲେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ଏଠାରେ ୪୫ ପ୍ରତିଶତରୁ କମ ବର୍ଷା ହୋଇଛି। ଜୁନ ଓ ଜୁଲାଇ ମାସରେ ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ ବର୍ଷା ହୋଇଛି। ଜୁଲାଇରେ ୯ ପ୍ରତିଶତ କମ ବର୍ଷା ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁନ-ଜୁଲାଇ ଦୁଇ ମାସରେ ୫୫୬.୪ ମି.ମି ବର୍ଷା ହେବା କଥା। ହୋଇଛି ୪୫୭.୭ ମି.ମି ବର୍ଷା। ଯାହା ୧୭.୭ ପ୍ରତିଶତ କମ୍‌। କୋରାୁଟ ଜିଲ୍ଲାରେ ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ୧୧ଟି ଜିଲ୍ଲା ନବରଙ୍ଗପୁର, ମାଲକାନଗିରି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ବରଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର ଓ ରାୟଗଡ଼ା ଜିଲ୍ଲାରେ ସ୍ୱାଭାଭିକ ବର୍ଷା ହୋଇଛି।

୧୭ଟି ଜିଲ୍ଲା ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଂଜ ଓ ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ଏହାଠାରେ ୩୯ ପ୍ରତିଶତ ଯାଏ କମ ବର୍ଷା ହୋଇଛି। ଜିଲ୍ଲାୱାରୀ ଦେଖିଲେ ଗୋଟିଏ ଜିଲ୍ଲା କୋରାପୁଟରେ ଅତ୍ୟଧିକ ଓ ୧୧ଟି ଜିଲ୍ଲାରେ ସ୍ୱାଭାବିକ, ୧୭ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ଖୁବ୍‌ କମ୍‌ ବର୍ଷା ହୋଇଛି। ଫଳରେ ଚାଷ କାମ ପ୍ରଭାବିତ ହୋଇଛି। ଶୀଘ୍ର ବର୍ଷା ନହେଲେ ରାଜ୍ୟରେ ମରୁଡି ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.