ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ, ଅଭିଯୁକ୍ତର ଦୋକାନ ଘର ଓ ଗାଡି ଜାଳି ଦେଲେ ଲୋକେ

ଯାଜପୁର ରୋଡ୍(କେନ୍ୟୁଜ୍): ପ୍ରେମ..ହତ୍ୟା..ତୁମୁଳକାଣ୍ଡ। ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ। ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା। ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ। ଅଭିଯୁକ୍ତର ଦୋକାନ ଘର ଓ ଗାଡିରେ ନିଆଁ ଲଗାଇ ଦେଲେ ସ୍ଥାନୀୟ ଲୋକ। ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ଛକରେ ବିଳମ୍ବିତ ରାତିରେ ହୋଇଛି ହତ୍ୟାକାଣ୍ଡ।
ମୃତକ ହେଲେ ବମ୍ବିଲୋ ଗାଁର ଜିତେନ୍ଦ୍ର ମାହାପାତ୍ର। ଅଭିଯୋଗ ଅନୁଯାୟୀ, ରାସୋଳ ଗାଁର ଶାନ୍ତନୁ ସାମଲ ମୃତ ଜିତେନ୍ଦ୍ରଙ୍କ ଭଉଣୀକୁ ପ୍ରେମ କରୁଥିଲା। ତେବେ ଶାନ୍ତନୁ ବିବାହିତ ହୋଇଥିବାରୁ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ବାପା ଓ ଭାଇ। ଏଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସନ୍ଧ୍ୟାରେ ଯୁବତୀଙ୍କ ବାପା ଦୋକାନରେ ଥିବାବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ।
ଘଟଣାସ୍ଥଳରେ ଭାଇ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ସନ୍ତୋଷ ଗୁରୁତର ଆତହ ହୋଇ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଶାନ୍ତନୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା ଚଳାଇଛନ୍ତି କାଳିଆପାଣି ପୋଲିସ। ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ରହିଛି।