ପୁଣି ଲାଲ ବାହିନୀର ତାଣ୍ଡବ: ଟାର୍ଗେଟରେ ସୁରକ୍ଷାକର୍ମୀ, ସପ୍ତାହେ ଭିତରେ ନେଲେଣି ୭ ମୁଣ୍ଡ

ରକ୍ତମୁଖା ଲାଲବାହିନୀ । ଟାର୍ଗେଟରେ ସୁରକ୍ଷାକର୍ମୀ । ସପ୍ତାହେ ଭିତରେ ଛତିଶଗଡ଼ରେ ୭ ଜଣଙ୍କର ମୁଣ୍ଡ ନେଇଛନ୍ତି ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ସେନାର ଜଣେ ଯବାନ । ମୃତ ଯବାନ ହେଲେ କାଙ୍କେର ଜିଲ୍ଲାର ମୋତିରାମ ଅଞ୍ଚଲ ।

(କେନ୍ୟୁଜ): ଛତିଶଗଡ଼ରେ ଲାଲ ତାଣ୍ଡବ । ରକ୍ତମୁଖା ଲାଲବାହିନୀ । ଟାର୍ଗେଟରେ ସୁରକ୍ଷାକର୍ମୀ । ସପ୍ତାହେ ଭିତରେ ଛତିଶଗଡ଼ରେ ୭ ଜଣଙ୍କର ମୁଣ୍ଡ ନେଇଛନ୍ତି ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ସେନାର ଜଣେ ଯବାନ । ମୃତ ଯବାନ ହେଲେ କାଙ୍କେର ଜିଲ୍ଲାର ମୋତିରାମ ଅଞ୍ଚଲ । ଗତ ରବିବାର ଅମ୍ବାବେଡ଼ା ପୋଲିସ ଷ୍ଟେସନର ଉସେଲି ଗାଁ ମାର୍କେଟରେ ତାଙ୍କୁ ହତ୍ୟା କରିଥିଲେ ମାଓବାଦୀ । ସାଦା ପୋଷାକରେ ଥିବା ନକ୍ସଲ ପଏଣ୍ଟ ବ୍ଲାଙ୍କରୁ ତାଙ୍କ ଉପରେ ଚଳାଇଥିଲେ ଗୁଳି ।

ଏହାପରେ ମାଓ ସ୍ଲୋଗାନ୍‌ ଦେଇ ସେଠାରୁ ପଳାଇଥିଲେ । ଆସାମରେ କାର୍ଯ୍ୟରତ ଥିଲେ ମୋତିରାମ ଅଞ୍ଚଲ । ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଭେଟିବା ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ହତ୍ୟା କରିଛନ୍ତି ମାଓବାଦୀ । ତାପୂର୍ବ ଦିନ ଆଇଡି ବିସ୍ଫୋରଣରେ ଜଣେ ଛତିଶଗଡ଼ ଆର୍ମଡ ଫୋର୍ସର ଜଣେ କନେଷ୍ଟବଳ ସହିଦ ହୋଇଥିଲେ । ଓରଚ୍ଛା ପୋଲିସ ଷ୍ଟେସନ ଅନ୍ତର୍ଗତ ବାଟୁମ୍‌ ଗାଁରେ ଆଇଡି ବିସ୍ଫୋରଣରେ ପ୍ରାଣ ହରାଇଥିଲେ କନେଷ୍ଟବଳ ସଞ୍ଜୟ ଲାକ୍ରା । ଏହା ପୂର୍ବରୁ ଶୁକ୍ରବାର ଦିନ ସୁକମା ଜିଲ୍ଲାରେ ୩ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

ଏମାନଙ୍କ ଭିତରେ ଥିଲେ ଜଣେ ଆସିଷ୍ଟାଣ୍ଟ ସବଇନିସପେକ୍ଟରଙ୍କ ସମେତ ଛତିଶଗଡ଼ ଡିଆରଜି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍‌ ବେଳେ ପୋଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ନକ୍ସଲ । ପାଖାପାଖି ୨୦ ମିନିଟ୍‌ ଧରି ଏନକାଉଣ୍ଟର ଚାଲିଥିଲା । ପୂର୍ବରୁ ଫେବ୍ରୁଆରୀ ୨୦ ତାରିଖରୁ ରାଜନନ୍ଦଗାଁଓ ଜିଲ୍ଲାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା ଲାଲବାହିନୀ । ଛତିଶଗଡ଼ରେ ମାଓ ହିଂସା ବଢୁଥିବା ବେଳେ ଆଲର୍ଟରେ ଅଛି ଓଡ଼ିଶା । ମାଲକାନଗିରି ଓ ନୂଆପଡ଼ା ସୀମାରେ ସୁରକ୍ଷାକୁ ବଢ଼ାଇ ଦିଆୟାଇଛି । କଡ଼ାକଡ଼ି ଚାଲିଛି ଯାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.