ଘରେ ପୂରାଇ ଦେଲେନି ପରିବାର ଓ ଗାଁ ଲୋକେ, ପୁଣି ଜଣେ ପ୍ରବାସୀ ହେଲେ ବାସନ୍ଦର ଶିକାର

କାକଟପୁର: କରୋନା ମହାମାରୀ କବଳରେ ଦୀର୍ଘ ୫ ମାସ ହେଲା ସନ୍ତୁଳି ହେଉଛି ସାରା ବିଶ୍ବ । ଉଭୟ ଜୀବନ ଏବଂ ଜୀବିକା ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଏହା କେତେବେଳେ ସିଖାଇଛି ସମ୍ପର୍କର ମୂଲ୍ଯବୋଧକୁ ତ କେତେବେଳେ ଜଣାଇ ଦେଇଛି ଖାଦ୍ଯର ମହତ୍ବ । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଏତେ ବାଟ ଚାଲିବା ସତ୍ବେ ଏବେବି କମିନି କରୋନାର ଦାଉ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ଯା ବଢିବାରେ ଲାଗିଛି । ଏହାରି ଭିତରେ ପୁଣି ଆସିଛି ଆଉ ଏକ ଅମାନବିକତାର ଦୃଶ୍ୟ । ଯେଉଁଠି କରୋନା ପାଇଁ ବାସନ୍ଦର ଶିକାର ହୋଇଛନ୍ତି ଜଣେ ପ୍ରବାସୀ ଓଡିଆ ।

ସତରେ ଏ କି ଭଳି ମାନସିକତା? ବାରମ୍ବାର ଏତେ ସଚେତନତା ପରେ ବି ବୁଝୁନାହାନ୍ତି ଲୋକେ । ତେବେ ଏଠାରେ ସବୁଠାରୁ ଦୁଃଖର କଥା ଗାଁ ଲୋକଙ୍କ ସହିତ ପରିବାର ଲୋକେ ମଧ୍ଯ ଏହି ପ୍ରାବସୀ ଜଣଙ୍କୁ ପାଖ ମଡାଇ ଦେଇ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ଦେବୀ ନଦୀ ଫେରିଘାଟ ବନ୍ଧରେ । ଯୁବକ ଜଣଙ୍କ ପ୍ରଶାନ୍ତ ବେହେରା । ସେ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ । ତେବେ ଖୁବ୍ କଷ୍ଟରେ ନିଜ ଗାଁକୁ ଫେରିଛନ୍ତି । ନଦୀ ପାର୍ ହୋଇ ଘରକୁ ଯିବାକୁ ଚାହୁଁଛନ୍ତି । ହେଲେ ଏନେଇ ଖବର ପାଇବା ପରେ ଗାଁ ଲୋକେ କରୋନା ଭୟରେ ତାଙ୍କୁ ଗାଁରେ ପୂରାଇ ଦେଲେ ନାହିଁ । ଶେଷର ନିଜ ସ୍ତ୍ରୀ ସହ ଭାଇ ଏବଂ ବାପା ବୋଉ ମଧ୍ଯ ପ୍ରଶାନ୍ତଙ୍କ ପାଖ ମାଡିଲେ ନାହିଁ । ଯାହା ଦେଖି ନଦୀ ଘାଟରେ ନାଉରିଆ ମଧ୍ଯ ଡଙ୍ଗାରେ ବସାଇଲା ନାହିଁ ।

migrantବାଧ୍ଯ ହୋଇ ପ୍ରଶାନ୍ତ ତାଳଦା ସରପଞ୍ଚଙ୍କୁ ଫୋନ୍ କଲେ । କିନ୍ତୁ ସେଠାରୁ ବି ତାଙ୍କୁ ନିରାଶ ହେବାକୁ ପଡିଲା । ଶେଷରେ ନଦୀ ଘାଟରେ ନିଜ ବ୍ଯାଗ୍ ରଖି କ୍ଳାନ୍ତ ହୋଇ ଶୋଇ ପଡିଥିଲେ ପ୍ରଶାନ୍ତ । ତେବେ ବର୍ତ୍ତମାନ ତାଙ୍କୁ ସଂଘରୋଧ କେନ୍ଦ୍ରକୁ ନନେଲେ ସେ ଆତ୍ମହତ୍ଯା କରିବାକୁ ଚେତାବନୀ ଦେଉଥିବା ଜଣାପଡିଛି । ନଦୀ ପାର୍ ହୋଇ ଅନେକ ଲୋକେ ଯାଆସ କରୁଥିଲେ ମଧ୍ଯ ପ୍ରଶାନ୍ତଙ୍କୁ ଆଡ ଆଖିରେ ବି କେହି ଚାହୁଁ ନାହାନ୍ତି । ସତରେ କରୋନା ଭୟରେ ମାନବିକତାକୁ ଭୁଲି ଯାଉଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.