ଚାଷୀଙ୍କ ପାଇଁ ଖୁସି ଖବର ଦେଲା ପାଣିପାଗ ବିଭାଗ, ୨ରୁ ୩ ଦିନ ମଧ୍ୟରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ

ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକୋବର ଦ୍ୱୀପରେ ମୌସୁମୀ ପ୍ରବେଶ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଧୀରେ ଧୀରେ ଏହା ଦକ୍ଷିଣ ଭାରତକୁ ଅଗ୍ରସର ହୋଇ କେରଳକୁ ପ୍ରବେଶ କରିବ।

କେନ୍ୟୁଜ୍(ବ୍ୟୁରୋ):  ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ରହିଛି ଅନୁକୂଳ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକୋବର ଦ୍ୱୀପରେ ମୌସୁମୀ ପ୍ରବେଶ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଧୀରେ ଧୀରେ ଏହା ଦକ୍ଷିଣ ଭାରତକୁ ଅଗ୍ରସର ହୋଇ କେରଳକୁ ପ୍ରବେଶ କରିବ। ତେବେ କେରଳରେ ନିର୍ଦ୍ଧାରିତ ସମୟ ଠାରୁ ୪ଦିନ ବିଳମ୍ବରେ ମୌସୁମୀ ପ୍ରବେଶ କରିବା ନେଇ ଗତକାଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜୁନ ୧ ବେଳକୁ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୪ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତରେ ପ୍ରବେଶରେ କରିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସେପଟେ ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଗାମୀ ୪୮ ଘଣ୍ଟା ଯାଏ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଓଡ଼ିଶାରେ ମଧ୍ୟ ଜାରି ରହିଛି ଅସହ୍ୟ ଗରମ ଓ ଗୁଳୁଗୁଳି।