ମହାବାତ୍ୟା ପରଠାରୁ ଆଜି ସୁଦ୍ଧା ବଜ୍ରାଘାତରେ ୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି

ଗତ ୧୦ ବର୍ଷରେ ବାର୍ଷିକ ହାରାହାରି ୩୫୦ ଜଣଙ୍କ ମାରିଛି ବଜ୍ରାଘାତ। ୨୦୧୮ରୁ ବଜ୍ରପାତର ଆଗୁଆ ସୂଚନା ପ୍ରଦାନ ନେଇ ସରକାର ନେଇଛନ୍ତି ପଦକ୍ଷେପ, ତଥାପି ଥମୁନାହିଁ ବଜ୍ର ତାଣ୍ଡବ।

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସୁଛି ମୃତ୍ୟୁ। ତୁହାକୁ ତୁହା ବିଜୁଳି ମାଡ଼। ଆଖି ପିଛୁଳାକେ ଲିଭୁଛି ଜୀବନ ଦୀପ। ଛାରଖାର ହେଉଛି ଗୋଟିଏ ଗୋଟିଏ ପରିବାର। ୧୯୯୯ ମହାବାତ୍ୟାରେ ପ୍ରାୟ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଜ୍ରାଘାତରେ ୬ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଗତକାଲି ଓଡ଼ିଶା ଆକାଶରେ ୨ ଘଣ୍ଟାରେ ପ୍ରାୟ ୬୦ ହଜାର ଝଟକା ଦେଇଥିଲା ବଜ୍ରପାତ। ଓସଡମାର ର ସୂଚନା ଗତକାଲି ସଂଧ୍ୟା ୫ଟ୩ ୩୦ ସୁଦ୍ଧା, କ୍ଲାଉଡ୍ ଟୁ କ୍ଲାଉଡ୍ ଲାଇଟିନିଂ ୩୬, ୫୯୭ ଥର ହୋଇଥିବା ବେଳେ କ୍ଲାଉଡ୍ ଟୁ ଗ୍ରାଉଣ୍ଡ ଲାଇଟିନିଂ ୨୫ ହଜାର ୭୫୩ ଥର ହୋଇଥିଲା।

ଆଉ ଏହା ଘାତକ ସାବ୍ୟସ୍ତ ହୋଇଛି। ରାଜ୍ୟରେ ଗତକାଲି ୬ ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୪ ଜଣ। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଗତକାଲି ନୁହଁ ଗତ ଜୁଲାଇ ୩଼୍୧ ତାରିଖରେ ରାଜ୍ୟରେ ୯ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ବଜ୍ର ପ୍ରହାର ବାରମ୍ୱାର ହେଉଛି। ୨୦୧୧ରୁ ୨୦୨୦ ମଧ୍ୟରେ ବାର୍ଷିକ ହାରାହାରି ପ୍ରାୟ ୩୫୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ରହିଛି ୩୨୧୮। ଏସ୍ ଆର୍ ସି ତଥ୍ୟ ମୁତାବକ ୨୦୧୫-୧୬ରେ ୪୦୪, ୨୦୧୬-୧୭ରେ ୪୦୧, ୨୦୧୭-୧୮ରେ ୪୭୦, ୨୦୧୮-୧୯ରେ ୩୩୪ ଓ ୨୦୧୯-୨୦ରେ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରର ଏନ୍ ସିଆରବି ରିପୋର୍ଟ ମୁତାବକ ୨୦୨୧ରେ ୨୮୭, ୨୦୨୨ରେ ୨୧୪ ଓ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଶହ ଜଣଙ୍କ ମୃତ୍ୟୁ ହୋଇଛି।

ବଜ୍ରାଘାତ ଭୟାବହତା ଦେଖି ସରକାର ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ୨୦୧୮ ଜୁନ୍ ମାସରେ ଆମେରିକୀୟ ସଂସ୍ଥା ଆର୍ଥ ନେଟ୍ ୱର୍କସ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଥିଲା ଓସ୍ ଡମା। ଲକ୍ଷ୍ୟ ଥିଲା, ବଜ୍ରପାତ ହେବାର ୪୫ ମିନିଟ୍ ପୂର୍ବରୁ ଲୋକଙ୍କୁ ବିଜୁଳି ଘଡଘଡ଼ି ନେଇ ଲୋକଙ୍କୁ ସୂଚନା ଦେବା। ଏହାସହ ବିଜୁଳି ଘଡ଼ଘଡ଼ି ନେଇ ଲୋକଙ୍କୁ ସଚେତନ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ୨୦୧୧ରୁ ୨୦୨୦ ମଧ୍ୟରେ ମୟୂରଭଞ୍ଜରେ ସର୍ବାଧିକ ୩୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରେ ୨୦୯, ଗଂଜାମ ଜିଲ୍ଲାରେ ୨୦୯, ସୁନ୍ଦରଗଡ଼ ୧୯୧ ଓ ବାଲେଶ୍ବର ଜିଲ୍ଲାରେ ୧୮୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟରେ ବଜ୍ରପାତ ମୃତ୍ୟୁ ଥମୁ ନଥିବା ବେଳେ ସଚେତନତା ଓ ଆଗୁଆ ସତର୍କତା ଯୋଗୁଁ ୨୦୨୦ରୁ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି।

ଆକାଶରୁ ଖସୁଛି ମୃତ୍ୟୁ

ଏସ୍ ଆର୍ ସି ତଥ୍ୟ
୨୦୧୫-୧୬- ୪୦୪
୨୦୧୬-୧୭- ୪୦୧
୨୦୧୭-୧୮- ୪୭୦
୨୦୧୮-୧୯- ୩୩୪
୨୦୧୯-୨୦- ୨୮୧

୨୦୨୧- ୨୮୭
୨୦୨୨- ୨୧୪
୨୦୨୩(ବର୍ତ୍ତମାନ ସୁଦ୍ଧା )- ପ୍ରାୟ ୨୦୦

୨୦୧୧ରୁ ୨୦୨୦
ମୟୂରଭଞ୍ଜ – ୩୪୦
କେନ୍ଦୁଝର- ୨୦୯
ଗଂଜାମ- ୨୦୯
ସୁନ୍ଦରଗଡ଼- ୧୯୧
ବାଲେଶ୍ବର- ୧୮୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.