ହାତୀ ଉଜାଡିଦେଲା ପରିବାର: ଆକ୍ରମଣରେ ମା’ ପୁଅ ମୃତ, ବାପା ଗୁରୁତର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପରିବାର ନିକଟସ୍ଥ ଅଖଡାଦାଣ୍ଡ ଗାଁକୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଓ ୧୦ ବର୍ଷର ପୁଅ ସାହିଦ ମୁଣ୍ଡାଙ୍କୁ ନେଇ ଅସ୍ଥାୟୀ କୁଡିଆ କରି ରହୁଥିଲେ ।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ସେଠାକୁ ଆସିଥିଲା । ଅସ୍ଥାୟୀ କୁଡିଆରେ ୧୧ଜଣ ଶ୍ରମିକ ରହୁଥିବାବେଳେ, ହାତୀଟି ସେଠାରେ ପହଞ୍ଚି ଯାଇଥିଲା । ଏହାଦେଖି ଜୀବନ ବଞ୍ଚାଇ ଅନ୍ୟ ମାନେ ପଲାଇବାରେ ସକ୍ଷମ ହୋଇଥିଲେ। ତେବେ ଅସ୍ଥାୟୀ କୁଢିଆ ଭାଙ୍ଗିବା ସହ ମା’ ଓ ପୁଅଙ୍କୁ ଦଳି ଦେଇଥିଲା ଦନ୍ତା । ଏହାସହ ପ୍ରଶାନ୍ତଙ୍କୁ ମଧ୍ୟ କଚାଡି ଦେଇଥିବା ବେଳେ ତାଙ୍କର ପଞ୍ଜରା ହାଡ ଭାଙ୍ଗିଯାଇଛି । ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମା’-ପୁଅଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଖବର ପାଇବା ପରେ ବନବିଭାଗ ଓ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ଏହାସହ ଏହି ଘଟଣାରେ ମହଦା ପଞ୍ଚାୟତ ସରପଞ୍ଚ , କୁଚିଣ୍ଡା ପୋଲିସ ସହିତ ଜମନକିରା ରେଞ୍ଜର ବନ ବିଭାଗ କର୍ମଚାରୀ ପହଞ୍ଚି ଥିଲେ। ସରକାରୀ ହିସାବରେ ଯାହା ନିୟମ ରହିଛି ତାହା ପ୍ରଦାନ କରାଯିବ ବୋଲି କହିଛନ୍ତି ସରପଞ୍ଚ ଓ ରେଞ୍ଜର। ଅନ୍ଯପଟେ ବନ ବିଭାଗ ପକ୍ଷରୁ ଉକ୍ତ ପରିବାରକୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.