ଆଜି ଚାଲିଗଲେ ଖଇରୀ ବାଘର ମା, କଟକର ଏକ ବୃଦ୍ଧାଶ୍ରମରେ ଆଖି ବୁଜିଲେ

କଟକ (କେନ୍ୟୁଜ୍‌) : ଆଶୀର୍ବାଦ ବୃଦ୍ଧାଶ୍ରମରେ ଆଜି ଆଖି ବୁଜିଦେଲେ ଖଇରୀ ବାଘର ମା । ଆପଣମାନଙ୍କର ମନେ ଥିବା ମଣିଷ ଘରେ ମଣିଷ ଭଳି ଲାଳନ ପାଳନ ହେଉଥିବା ଖଇରୀ ବାଘ କଥା । ଯିଏ ମୟୁରଭଞ୍ଜ ଖଇରା ନଦୀ କୂଳରୁ ଅତି ଛୁଆ ବେଳୁ ମିଳିଥିଲା । ଏହାକୁ ନିଜ ସ୍ୱାମୀଙ୍କ ସହ ନିଜ ପିଲା ଭାବେ ପାଳନ କରୁଥିଲେ ନଳିନୀ ଦେବୀ। ସେହି ନଳିନୀଙ୍କର ବୟସାଧିକ୍ୟ ଯୋଗୁଁ ଆଜି ପରଲୋକ ଘଟିଛି ।

nalini-2

୧୯୭୪ ମସିହା ଅକଟୋବର ୫ ତାରିଖରେ ଖଇରୀର ଜନ୍ମ । ତାକୁ କିଛି ଆଦିବାସୀ ପାଇବା ପରେ ସେତେବେଳେ ସେଠାରେ ବନ ବିଭାଗ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ସରୋଜ ରାୟଚୌଧୁରୀଙ୍କୁ ଦେଇଥିଲେ । ସରୋଜ ବାବୁ ଏବଂ ପତ୍ନୀ ନଳିନୀ ସ୍ୱାଇଁ ଖଇରୀକୁ ଅମୁଲ ଓ କ୍ଷୀର ଦେଇ ବଞ୍ଚାଇ ରଖିଥିଲେ ଯଶୀପୁର ଠାରେ । ସେମାନଙ୍କର ନିଜର କୌଣସି ପିଲା ଛୁଆ ନ ଥିଲା । ତେଣୁ ଖଇରୀକୁ ଅତି ନିଜର କରି ପାଳିଥିଲେ । ଏଇ ଲାଳନ ପାଳନ ବେଳେ ସରୋଜ ଓ ନଳିନୀ ଭୁଲି ଯାଇଥିଲେ କି ଗୋଟିଏ ହିଂସ୍ର ବାଘକୁ ପାଳୁଛନ୍ତି । ଯେମିତି ସେ ଥିଲା ସନ୍ତାନ ଭଳି । ହିଂସ୍ର ପଶୁ ଓ ମଣିଷ ଭିତରେ କଭଳି ସମ୍ପର୍କ ଥିଲା ତାର ଉଦାହରଣ ସାଜିଥିଲେ ଏମାନେ ।

nalini-3

ଖଇରୀ ପିଞ୍ଜରାରେ ରହୁ ନଥିଲା । ବାହାରେ ମଣିଷଙ୍କ ସହିତ ବୁଲୁଥିଲା । ନଳିନୀ ଖଇରୀ ଖଇରୀ ଡାକି ଦେଲେ ସେ ପୋଷା ପିଲାଟି ଭଳି ଚାଲି ଆସୁଥିଲା । ହିଂସ୍ର ଜନ୍ତୁ ବି ସ୍ନେହ ଶ୍ରଦ୍ଧା ବଳରେ କେମିତି ପୋଷା ମାନି ଯାଏ ଏକଥା ଦେଖାଇ ଦେଇଥିଲେ ସରୋଜ ଏବଂ ନଳିନୀ। ତେବେ ଏକ ପାଗଳା କୁକୁର କାମୁଡ଼ାରେ ଖଇରୀର ବ୍ୟବହାର ବଦଳି ଗଲା । ସେ ହିଂସ୍ର ହୋଇ ଉଠିଲା । ତାର ଚିକିତ୍ସା ବେଳେ ୧୯୮୧ ମସିହା ମାର୍ଚ୍ଚ ୨୮ ତାରିଖରେ ଆଉ ହୋସରୁ ଫେରିଲାନି ଖଇରୀ। ଖଇରୀର ମୃତ୍ୟୁ ପରେ ବହୁତ ଭାଙ୍ଗି ପଡ଼ିଥିଲେ ନଳିନୀ ଏବଂ ସରୋଜ । ଏକଥା ବେଶି ବାଧିଥିଲା ନଳିନୀଙ୍କୁ। କାରଣ ସେ ପ୍ରକୃତରେ ଯେମିତି ଥିଲେ ତାର ମା ।

khairi

ସ୍ୱାମୀଙ୍କୁ ହରାଇବା ପରେ ନଳିନୀ ଖଇରି ସହ ବିତାଇ ଥିବା ସମୟକୁ ମନେ ପକାଇ ବୃଦ୍ଧାଶ୍ରମରେ ଦିନ କାଟୁଥିଲେ । ଖଇରୀ ମୃତ୍ୟୁର ୪୦ ବର୍ଷ ପରେ ଆଜି ନଳିନୀ ଏ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ବେଶ କିଛିଦିନ ହେଲା ସେ ବାର୍ଦ୍ଧକ୍ଯ ଜନିତ ରୋଗରେ ପୀଡିତ ଥିଲେ। ଗତକାଲି ଖାଇ ସାରି ଶୋଇବାକୁ ଯାଇଥିଲେ। ତେବେ ତା ପରେ ଆଉ ଉଠି ନ ଥିଲେ । କଟକ ଗୋରା କବରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସାନଭାଇ ଓ ସମ୍ପର୍କୀୟ ପହଞ୍ଚି ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.