ମହିଳାଙ୍କୁ ସ୍ୱାବଲମ୍ବୀ କରାଉଛି ଛତୁ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ
ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରି ପାରମ୍ପରିକ ଚାଷ ସହିତ ଅଧିକ ଅର୍ଥ କିପରି ରୋଜଗାର କରାଯାଇ ପାରିବ ସେ ନେଇ ଆଧୁନିକ ପ୍ରଣାଳୀରେ ଛତୁ ଚାଷ କରି ବେଶ୍ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଘୁଙ୍ଗୀନାଳି ଗ୍ରାମ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ।
ପ୍ରତିଟି ପରିବାରର ଆର୍ଥିକ ବିକାଶ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପ୍ରତିଶତ ଢେର ଅଧିକ । ବର୍ଷତମାମ ଗାଁ ଗହଳିର ଗରିବ ଶ୍ରେଣୀର ମହିଳାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଥିଲା ମୂଲ ମଜୁରୀ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟ ଅନ୍ତର୍ଗତ ମିଶନ ଶକ୍ତିରେ ନିଜକୁ ସାମିଲ କରି ବେଶ ସ୍ୱାବଲମ୍ବୀ ହେଉଥିବା ଦେଖାଯାଉଛି । ଏଥିରେ ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରି ପାରମ୍ପରିକ ଚାଷ ସହିତ ଅଧିକ ଅର୍ଥ କିପରି ରୋଜଗାର କରାଯାଇ ପାରିବ ସେ ନେଇ ଆଧୁନିକ ପ୍ରଣାଳୀରେ ଛତୁ ଚାଷ କରି ବେଶ୍ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଘୁଙ୍ଗୀନାଳି ଗ୍ରାମ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ।
ସମ୍ବଲପୁର ଜିଲ୍ଲ ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗୀନାଳି ଗ୍ରାମ । ଏହି ଗ୍ରାମର ୧୧ ଜଣ ମହିଳାଙ୍କୁ ନେଇ ୧୯୯୯ ମସିହାରେ ଗଠିତ ହୋଇଥିଲା ମହାଲକ୍ଷ୍ମୀ ସ୍ୱୟଂସହାୟକ ଗୋଷ୍ଠୀ । ପ୍ରଥମେ ବ୍ୟାଙ୍କରୁ ୫୦ହଜାର ଋଣ ଆକାରରେ ଆଣି ଖମ୍ବ ଆଳୁ ଚାଷ କରି ଆଶାନୁରୂପ ରୋଜଗାର ନ ହେବାରୁ କୁକୁଡା ଚାଷ ଆରମ୍ଭ କରିଥିଲେ । ଏଥିରେ ମଧ୍ୟ ପରିଶ୍ରମ ଅନୁଯାଇ ସେତେ ବେଶି ରୋଜଗାର ମିଳିନଥିବା ହେତୁ ନୂତନ ପ୍ରଣାଳୀରେ ଛତୁ ଚାଷ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ । ଜୀବିକା ମିଶନ ଜରିଆରେ ବ୍ୟାଙ୍କରୁ ବିନା ସୁଧରେ ୫ଲକ୍ଷ ଟଙ୍କା ଆଣି ଛତୁ ଚାଷ ଆରମ୍ଭ କରିଥିଲେ ।
ଗୋଷ୍ଠୀର ସଦସ୍ୟାମାନେ ନିଜ ଘର କାମରୁ କିଛି କିଛି ସମୟ ବାହାର କରି ନଡା କାଟି ତାକୁ ପାଣିରେ ଓଦା କରି ୬ଘଣ୍ଟା ପର୍ଯ୍ୟନ୍ତ ବହାରେ ରଖି ଛତୁ ବେଡ୍ ପ୍ରସ୍ତୁତ କରାଯାଇଥାଏ । ଏଥିରେ ଛତୁ ମଞ୍ଜି ଦେଇ ୧୨ ଦିନ ପରେ ଛତୁ ବାହାରି ଥାଏ । ଏହିପରି ଭାବରେ ବର୍ତ୍ତମାନ ୧୫୦ ଛତୁ ବେଡ୍ ପଡିଥିବା ବେଳେ ଏଥିରୁ ବାହାରୁ ଥିବା ସବୁ ଛତୁ ସ୍ଥାନୀୟ ଅଞ୍ଚଳରେ କେଜି ପ୍ରତି ୨୦୦ ଟଙ୍କା ଦରରେ ବିକ୍ରୀ ହୋଇ ଯାଇଥାଏ । ଯାହାକି ସେମାନେ ସ୍ୱାବଲମ୍ବୀ ହେବା ସହିତ ଏଥିରୁ ରୋଜଗାର ଅର୍ଥରେ ନିଜ ପରିବାର ପ୍ରତିପୋଷଣ ଖୁବ ଆରାମରେ କରିପାରୁଛନ୍ତି ।
ସରକାର ଆମକୁ ବିନା ସୁଧରେ ଋଣ ପ୍ରଦାନ କରିବାରୁ ଆମେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ସହିତ ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ ମିଳେ ଆମେ ଆହୁରି ଅଧିକ ଛତୁ ବେଡ୍ ପ୍ରସ୍ତୁତ କରି ଅଧିକ ଛତୁ ଆମଦାନୀ କରିପାରନ୍ତୁ ବୋଲି ଗୋଷ୍ଠୀର ମହିଳା ମାନେ କହିଛନ୍ତି ।