୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବେ ନା ଭବିଷ୍ୟତକୁ ଦେଖି ଚୁପ୍ ରହିବେ

୫ ରାଜ୍ୟର ଲେଜଲ୍ଟ ପରେ, ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ । ହିନ୍ଦୀ ହାର୍ଟଲାଣ୍ଡରେ ମାଡ଼ ଖାଇବା ପରେ, ପୂର୍ବ ଭାରତ ଉପରେ ରହିଛି ମୋଦିଙ୍କ ନଜର। ତିନି ରାଜ୍ୟରେ ବିଜେପିର ପରାଜୟ ପରେ ଦଳ ୨୦୧୪ ସଫଳତା ୨୦୧୯ରେ ପୁନାରବୃତି କରିବ, ସେ ଆଶା କ୍ଷୀଣ। ଗତ ଥର ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରୁ ୬୨ ଆସନ ଜିତିଥିଲା ବିଜେପି। ୧୯ରେ ଏ ସଂଖ୍ୟା ଅଧା ହୋଇଯିବା ଅନୁମାନ କରାଯାଉଛି। ଉତ୍ତରପ୍ରଦେଶରେ ବି ସମାନ ସ୍ଥିତି। ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଂଚଳ ଗୋରଖପୁର ଓ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଅଂଚଳ ଫୁଲପୁରକୁ ହାରିଥିଲା ବିଜେପି। ଏହାସହ ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶରେ ଏସ୍‌ପି-ବିଏସମ୍‌ପି ମେଣ୍ଟ ସମ୍ଭାବନା ରହିଛି। ତେଣୁ ଏଠାରେ ମଧ୍ୟ ବିଜେପିକୁ ଝଟ୍‌କା ଲାଗିବା ସମ୍ଭାବନା ରହିଛି।

ଏଭଳି ସ୍ଥିତିରେ ପୂର୍ବ ଭାରତରୁ ମୋଦିଙ୍କ ଆଶା ରହିଛି। ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଖୋର୍ଦ୍ଧାରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ। କଣ କହିବେ? ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବେ? ନା ନବୀନଙ୍କୁ ନେଇ ସଫ୍ଟ ଆପ୍ରୋଚ୍‌ ରଖିବେ? ଚଳିତ ବର୍ଷ ମୋଦି ଦି ଥର ଓଡ଼ିଶା ଆସିଛନ୍ତି। କଟକ ଆସି ମହାନଦୀ କଥା ଉଠାଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି କୌଣସି କଟୁ ମନ୍ତବ୍ୟ ଦେଲେ ନାହିଁ। ଏହାପରେ ତାଳଚେର-ଝାରସୁଗୁଡ଼ା ଗସ୍ତ ଥିଲା। ତାଳଚେରରେ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଆହ୍ଵାନ କରି, ନବୀନଙ୍କୁ ମିତ୍ର ବୋଲି କହିଥିଲେ। କିନ୍ତୁ ଝାରସୁଗୁଡ଼ାରେ ଉଠିଥିଲା ପିସି କଥା। ଏବେ ଖୋର୍ଦ୍ଧାରେ ମୋଦି କଣ କହିବେ।

ଯଦି ୨୦୧୯ରେ ମୋଦିଙ୍କୁ ଆବଶ୍ୟକ ବହୁ ମତ ନ ମିଲେ, ସେ ବିଜେଡିର ସହଯୋଗ ଲୋଡିବେ କି? ନା ଏବେଠାରୁ ଉତ୍ତରଭାରତର କ୍ଷତି ଭରଣା ପାଇଁ ପୂର୍ବ ଭାରତରେ ଯୁଦ୍ଧଂ ଦେହି ଡାକରା ଦେବେ? ଏହି ଆଲୋଚନା ଭିତରେ ନବୀନ ବାରମ୍ବାର କହୁଛନ୍ତି, ବିଜେଡି ଉଭୟ ବିଜେପି କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛି। ଏହାସହ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ନବୀନ ମୁଡ୍‌ ଅଫ ଦ ନେସନ ବୋଲି କହିଛନ୍ତି ।

୧୯ ନିର୍ବାଚନ ପାଇଁ ୫ମାସରୁ କମ୍‌ ସମୟ। ଫେବ୍ରୁଆରୀ, ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଘମାସନ। ଏ ସମୟ ଭିତରେ ଓଡ଼ିଶା ଓ ଓଡ଼ିଶା ସରକାରଙ୍କ ପ୍ରତି ମୋଦିଙ୍କ ଆପ୍ରୋଚ୍‌ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.