ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ଅନୁଧ୍ୟାନ, ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ମରାମତି କାମ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ନାଟମଣ୍ଡପ ବିମ୍ ଫାଟ ଅନୁଧ୍ୟାନ ଶେଷ କଲା ଏଏସ୍ଆଇ ଟିମ୍ । ଆମିକସ କ୍ୟୁରୀଙ୍କ ସହ ଏଏସ୍ଆଇର ଟିମ୍ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ କରିଛନ୍ତି । ନାଟମଣ୍ଡପର ୪ ଟି ପିଲର ଏବଂ ବିମ୍ ସମେତ କ୍ୟାପିଟାଲ ବିମ ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ୪ ବର୍ଷ ତଳେ ଯେମିତି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନାହିଁ । ତେଣୁ ଖୁବ୍ ଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ ।
ତେବେ ଦୁଇ ପ୍ରକାର ମରାମତି ପାଇଁ ଏଏସ୍ଆଇ ପ୍ରସ୍ତାବ ଦେବା ପରେ ଗୋଟିଏ କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷ ମାର୍ଚ୍ଚ – ଏପ୍ରିଲ ସୁଦ୍ଧା ସରିବ ମରାମତି କାର୍ଯ୍ୟ । କାମ ସମୟରେ ମଧ୍ୟ କ୍ରାକ ଟ୍ରାନ୍ସମିଟର ଲାଗି ରହିବ । ଜଗମୋହନରେ ଚାଲିଥିବା କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛି ଏଏସ୍ଆଇ ଟିମ୍ । ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି । ବୈଷୟିକ କୋର୍ କମିଟି ନିକଟରେ ଖୁବଶୀଘ୍ର ନକ୍ସା ଉପସ୍ଥାପନ କରାଯିବ । ସେମାନଙ୍କ ଅନୁମୋଦନ ପରେ ଆର୍ଥିକ ମଞ୍ଜୁରୀ ପାଇଁ ଏଏସ୍ଆଇ ମୁଖ୍ୟ କାର୍ଯ୍ୟଳୟ ପଠାଯିବ ।
ଏହାଛଡ଼ା ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ କୁମାର ମେନନଙ୍କ ମତାମତ ନିଆଯାଇଛି । ନାଟମଣ୍ଡପ ମରାମତି ପୂର୍ବରୁ ଅତ୍ୟାଧୁନିକ ପ୍ରଣାଳୀରେ ଲୋଡ୍ ମିଟର ଲଗାଯାଇ ବିମ୍ ଓ ପିଲରଗୁଡ଼ିକ ଉପରେ ପଡୁଥିବା ଭାର ଆକଳନ କରାଯିବ । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା କେନ୍ଦ୍ରର ସହାୟତା ନିଆଯିବ । ଜୟବିଜୟ ଦ୍ୱାର ଏବଂ ଗରୁଡ଼ସ୍ତମ୍ଭ ଛାତରେ ଫାଟ ଥିବା ପୂର୍ବରୁ ଠାବ କରାଯାଇଛି । ଆଜି ଅନୁଧ୍ୟାନ ପରେ ଆସନ୍ତା ଏକ ମାସ ମଧ୍ୟରେ ନାଟମଣ୍ଡପ ସ୍ଥିତି ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ ।