ଜମୁଛି ପଦ୍ମପୁର ପ୍ରଚାର ମୈଦାନ: ବିକାଶ ଧାରାକୁ ଆଗକୁ ନେବା ପାଇଁ ଆଶୀର୍ବାଦ ମାଗୁଛନ୍ତି ସବୁ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ଜମୁଛି ପଦ୍ମପୁର ପ୍ରଚାର ମୈଦାନ। ମତଦାନ ସମୟ ଯେତିକି ପାଖଉଛି, ସେତିକି ବଢୁଛି ରାଜନୈତିକ ଉଷ୍ଣତା। ମତଦାନକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା। ପାଇକମାଳରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ମାରାଥନ କ୍ୟାମ୍ପେନ ଚାଲିଛି। ଆଶୀର୍ବାଦ ପାଇଁ ସେ ଆବେଗଭରା ନିବେଦନ କରୁଛନ୍ତି। ବିଭିନ୍ନ ସ୍ଥାନରେ ରୋଡ ସୋ, ଶୋଭାଯାତ୍ରା ଓ ବୈଠକ କରି ଭୋଟ ନିବେଦନ କରୁଛନ୍ତି ବର୍ଷା। ଭୋଟରଙ୍କୁ ଭେଟିବା ବେଳେ ସେ ବେଶ୍ ଭାବପ୍ରବଣ ହୋଇପଡ଼ିଥିଲେ। ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଆଶୀର୍ବାଦ କରିବାକୁ ବର୍ଷା ଅନୁରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ପ୍ରଚାର ବେଳେ ମହିଳାମାନେ ବର୍ଷାଙ୍କୁ ପାଛୋଟି ନେଉଛନ୍ତି।

ସେହିଭଳି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବି ପ୍ରଚାରକୁ ଜୋରଦାର କରିଛନ୍ତି। ବରିଷ୍ଠ ନେତା ଓ କର୍ମୀଙ୍କ ସହ ପ୍ରଦୀପ କ୍ୟାମ୍ପେନ ଚଳାଇଛନ୍ତି। ପ୍ରଦୀପଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର। ପଦ୍ମପୁରରେ ଉଭୟ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ଏହା ସହ ପଦ୍ମପୁରକୁ ରେଳ ଲାଇନ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ମଧ୍ୟ ଜବାବ ରଖିଛନ୍ତି ରେଳମନ୍ତ୍ରୀ। ସେହିପରି ଫସଲବୀମା ଯୋଜନାରେ କୃଷି ମନ୍ତ୍ରୀଙ୍କ ଜବାବ, ଓଡ଼ିଶାକୁ ଫସଲବୀମା ଯୋଜନାରେ ଟଙ୍କା ଦିଆଯାଇଛି। ବିଜେଡି କର୍ମୀ ଲୋକଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ତୋମାର।

BJP

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ତାରିଖ ପାଖେଇ ଆସିବାରୁ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଛି। ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରଚାର କରିବେ ବୋଲି ଜଣାଯାଇଛି।

Also Read: ପୁଅ ବାୟୁର ପ୍ରଥମ ଝଲକ୍‌ ଦେଖାଇଲେ ସୋନମ୍‌ କପୁର, ଭାଇରାଲ ହେଉଛି ଫଟୋ