ବସରେ ଏୟାରପୋର୍ଟରୁ ବିଧାନସଭା ଗଲେ ନବୀନ, ୮ ଟଙ୍କାରେ କାଟିଲେ ଟିକେଟ୍

ଭୁବନେଶ୍ବର : ସିଟି ବସ୍ ପରେ ରାଜଧାନୀ ରାଜରାସ୍ତାରେ ଗଡ଼ିଲା ମୋ ବସ୍ । ଏହି ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦର ନିକଟରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ମୋ ବସ୍ରେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ଛକରୁ ବସ୍ ଚଢ଼ି ଆସି ପହଞ୍ଚିଥିଲେ ବିଧାନସଭା । ୮ ଟଙ୍କାରେ ଟିକେଟ୍ କାଟିଥିଲେ । ସାଙ୍ଗରେ ନଥିଲେ ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ହୋଇଥିଲେ ଯାତ୍ରୀ । ସେଲ୍ଫି ବି ନେଇଥିଲେ । ପ୍ରଥମ ପର୍ୟ୍ୟାୟରେ ଶହେଟି ମୋ ବସ୍ ଚଳାଚଳ ଆରମ୍ଭ କରିଛି । ଆଉ ଦୁଇଟି ପର୍ୟ୍ୟାୟରେ ଗଡ଼ିବ ଦୁଇ ଶହଟି ବସ୍ ।
ଚକାଚକ୍ ବସ୍ ସାଙ୍ଗକୁ ଓ୍ଵାଇ-ଫାଇ ସୁବିଧା । ଜିପିଏସ୍ ସିଷ୍ଟମ୍ ବି ଲାଗିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗିଛି ସିସିଟିଭି କ୍ୟାମେରା । ଇ-ଟିକେଟ୍ ବ୍ୟବସ୍ଥା ସହ ବିଭିନ୍ନ ଜରୁରୀ ସୂଚନା ପାଇଁ ମୋବାଇଲ୍ ଆପ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି । ମୋ ବସ୍ର କଣ୍ଡକ୍ଟରମାନଙ୍କୁ ବସ୍ ଗାଇଡ୍ କୁହାଯାଉଛି । ବସ୍ ଗାଇଡ୍ରେ ୫୦ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଏହି ସ୍ମାର୍ଟସେବା ଲୋକଙ୍କୁ ବ୍ୟକ୍ତିଗତ ଯାନ ବାହାନ ବ୍ୟବହାର କରିବାର ଚାପକୁ ବହୁ ମାତ୍ରାରେ କମାଇ ପାରିବ ।
କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ଏହି ସେବା ପ୍ରଦାନ କରାଯାଉଛି । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ଛକ ପୂର୍ବରୁ ଘୋଷଣା କରାଯିବାର ବ୍ୟବସ୍ଥା ବି ରହିଛି ।